ଭୁବନେଶ୍ୱର : ମୌସୁମୀ ସଙ୍କଟ ଘନୀଭୂତ । ଅଧାରେ ଅଟକିଲା ଦକ୍ଷିଣ-ପଶ୍ଚିମ ମୌସୁମୀ । ଦେଶରେ ବଢୁଛି ବର୍ଷାର ସାଂଘାତିକ ଅଭାବ। କୃଷି ଓ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ସାମ୍ନାକୁ ଆସିଛି ଚିନ୍ତାଜନକ ଚିତ୍ର। ଭାରତୀୟ ପାଣିପାଗ ବିଭାଗ ର ସଦ୍ୟ ତଥ୍ୟ ଓ ସାଟେଲାଇଟ୍ ଚିତ୍ର ଅନୁସାରେ ମୌସୁମୀ ବାୟୁ ଦେଶର ବଡ଼ ଭାଗରେ ଆଗକୁ ନବଢ଼ି ଅଟକି ରହିଛି। ବିଶେଷ କରି ମଧ୍ୟ, ପଶ୍ଚିମ ଓ ଦକ୍ଷିଣ ଭାରତୀୟ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ମେଘହୀନ ରହିଛି। ଜୁନ୍ ଆରମ୍ଭରୁ ବର୍ଷାର ବଡ଼ ବ୍ୟବଧାନ ରହିଛି।
ଚଳିତ ବର୍ଷ ଖରିଫ ଚାଷ ବିଳମ୍ବ ହେବା, ମାଟିର ଆଦ୍ରତା କମିବା ଓ ପ୍ରମୁଖ ଜଳାଶୟରେ ଜଳସ୍ତର କମିବାର ଆଶଙ୍କା ତୀବ୍ର ହେବାରେ ଲାଗିଛି। ପାଣିପାଗ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଜୁନ୍ ୪ ରୁ ୧୫ ମଧ୍ୟରେ ଦେଶରେ ସ୍ୱାଭାବିକ ଭାବେ ୫୩.୭ ମିଲିମିଟର ବର୍ଷା ହେବା କଥା। ତେବେ ଏହି ସମୟ ମଧ୍ୟରେ ମାତ୍ର ୧୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଜାତୀୟ ସ୍ତରରେ ୬୪ ପ୍ରତିଶତର ବଡ଼ ଅଭାବକୁ ଦର୍ଶାଉଛି। ଜୁନ୍ ମାସର ପ୍ରାରମ୍ଭିକ ଆକଳନରେ ବର୍ଷାର ଅଭାବ ୨୮% ରୁ ୪୦% ମଧ୍ୟରେ ରହିବ ବୋଲି କୁହାଯାଉଥିଲା। କିନ୍ତୁ ବାୟୁମଣ୍ଡଳୀୟ ପରିବର୍ତ୍ତନ ଓ ସମୁଦ୍ରରୁ ଦୁର୍ବଳ ଆଦ୍ରତା ପ୍ରବାହ ଯୋଗୁଁ ସ୍ଥିତି ଅତି ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି।
ସଙ୍କଟ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛି ମଧ୍ୟ ଭାରତ। ଯଦିଓ ଜୁନ୍ ମଧ୍ୟଭାଗ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି। କିନ୍ତୁ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ବ୍ୟାପକ ଓ ସକ୍ରିୟ ବର୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇନି। ଓଡ଼ିଶା ଭଳି କୃଷି-ପ୍ରଧାନ ରାଜ୍ୟରେ ଏହା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। IMD ପକ୍ଷରୁ ୨୦୨୬ ମସିହାମୌସୁମୀ ଋତୁ ପାଇଁ ଜାରି ହୋଇଥିବା ଦୀର୍ଘକାଳୀନ ପୂର୍ବାନୁମାନକୁ ସଂଶୋଧନ କରାଯାଇଛି। ଏହାକୁ ସ୍ୱାଭାବିକ ଅବଧିର ହାରାହାରି ର ୯୦% କୁ ହ୍ରାସ କରାଯାଇଛି। ଯାହା ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସଙ୍କେତ ଦେଉଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା୨୩ ଆଡ଼କୁ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହେବା ସହ ଆଗକୁ ବଢ଼ିବ। ଏହି ସମୟରେ ଓଡ଼ିଶାର ବାକି ରହିଥିବା ଅଞ୍ଚଳ ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମୌସୁମୀ ଅଗ୍ରଗତି କରିବ ଓ ବର୍ଷାର ପରିମାଣ ବଢ଼ିବ।
