ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କଳିଙ୍ଗ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ପୁଣିଥରେ ଗୌରବ ଅର୍ଜନ କରିଛି। ସାଇର୍ୟାଙ୍କ ଗ୍ଲୋବାଲ୍ ଇଣ୍ଡେକ୍ସ ୨୦୨୫ରେ କିଟ୍ର ୪୫ ଜଣ ଅଧ୍ୟାପକ ବିଶ୍ୱର ଶୀର୍ଷ ୫ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ସଫଳତା ମଧ୍ୟରେ ସ୍କୁଲ୍ ଅଫ୍ ଆପ୍ଲାଇଡ୍ ସାଇନ୍ସେସ୍ର ଜୀବ ବିଜ୍ଞାନ ବିଭାଗର ସହଯୋଗୀ ଅଧ୍ୟାପିକା ଡ଼ଃ ଚନ୍ଦନା ମହାନ୍ତି ଏବଂ ସହକାରୀ ଅଧ୍ୟାପିକା ଡ଼ଃ ସରବରୀ ଆଚାର୍ଯ୍ୟ ତାଙ୍କର ଉଲ୍ଲେଖନୀୟ ଗବେଷଣା ଅବଦାନ ପାଇଁ ଏହି ଆନ୍ତର୍ଜାତୀୟ ସମ୍ମାନ ଅର୍ଜନ କରିଛନ୍ତି।
ସାଇର୍ୟାଙ୍କ ଗ୍ଲୋବାଲ୍ ଇଣ୍ଡେକ୍ସ ହେଉଛି ଏକ ଆନ୍ତର୍ଜାତୀୟ ବୈଜ୍ଞାନିକ ମୂଲ୍ୟାୟନ ପ୍ରଣାଳୀ, ଯାହା ଗବେଷକମାନଙ୍କର ପ୍ରକାଶନ, ଗବେଷଣା ଉତ୍ପାଦନକ୍ଷମତା ଏବଂ ସାଇଟେସନ୍ ପ୍ରଭାବ ଆଧାରରେ ବିଶ୍ୱସ୍ତରରେ ମୂଲ୍ୟାଙ୍କନ କରେ। ୨୦୨୫ ସଂସ୍କରଣରେ ୮୦ ଲକ୍ଷରୁ ଅଧିକ ଗବେଷକ ଓ ଲକ୍ଷାଧିକ ଗବେଷଣା ପ୍ରକାଶନକୁ ବିଶ୍ଳେଷଣ କରାଯାଇଥିଲା, ଯାହାରୁ କେବଳ ଶୀର୍ଷ ୫ ପ୍ରତିଶତ ଗବେଷକଙ୍କୁ ସ୍ଥାନ ମିଳିଥିଲା।
ଏହି ସଫଳତା କିଟ୍ର ବୈଶ୍ୱିକ ଗବେଷଣା ପ୍ରଭାବକୁ ପ୍ରତିଫଳିତ କରିବା ସହିତ ଉଚ୍ଚମାନର ବୈଜ୍ଞାନିକ ଗବେଷଣା, ନବୀନତା ଓ ଜ୍ଞାନ ସୃଷ୍ଟି ପ୍ରତି ବିଶ୍ୱବିଦ୍ୟାଳୟର ଅଙ୍ଗୀକାରକୁ ଆହୁରି ସୁଦୃଢ଼ କରିଛି।
