ବିନାୟକ ସାର ଆମ ଅଞ୍ଚଳର ଏକ ଚିରପରିଚିତ ନାମ। ଛୋଟବେଳୁ ସାରଙ୍କୁ ଜାଣିଥିଲି ଓ ଦେଖିଥିଲି, କିନ୍ତୁ ୧୯୯୬ ମସିହାରେ ମୋର ସାଙ୍ଗ ଭୁଶୁଣ୍ଡପୁର ଗ୍ରାମର ସ୍ୱର୍ଗତ ନିରଞ୍ଜନଙ୍କ ମାଧ୍ୟମରେ ସାରଙ୍କ ସହ ପ୍ରଥମ ବ୍ୟକ୍ତିଗତ ପରିଚୟ ଓ କଥାବାର୍ତ୍ତା ହୋଇଥିଲା।
ସେତେବେଳେ ମୁଁ ମହର୍ଷି ଅନ୍ତର୍ଜାତୀୟ ସଂସ୍ଥାନର ଓଡିଶା ମୁଖ୍ୟ ଭାବେ କାର୍ଯ୍ୟରତ ଥିଲି। ବଡ଼ଚଣା ନରଣପୁର ମୌଜାରେ ଏକ “ମହର୍ଷି ସେଣ୍ଟର ଅଫ ଏକ୍ସଲେନ୍ସ” ଓ CBSE ପବ୍ଲିକ ସ୍କୁଲ୍ ସ୍ଥାପନା ସମ୍ପର୍କରେ ଆମର ଅନେକଥର ଆଲୋଚନା ହୋଇଥିଲା।
କିଛି କାରଣ ବଶତଃ ତାହା ସମ୍ଭବ ହୋଇ ପାରିନଥିଲା

ସେହି ସମୟରୁ ଆମ ମଧ୍ୟରେ ଯେଉଁ ସମ୍ପର୍କ ଗଢ଼ିଉଠିଥିଲା, ପରବର୍ତ୍ତୀ ସମୟରେ ସତ୍ୟ ଭାଇଙ୍କ ସହ ସମ୍ପର୍କ ହେବା ପରେ ତାହା ଏକ ପାରିବାରିକ ସମ୍ପର୍କରେ ପରିଣତ ହୋଇଥିଲା।
୨୦୦୯ ମସିହାରେ ମୁଁ ବିଜେପିର ବଡ଼ଚଣା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମୟରେ ସାରଙ୍କ ମାର୍ଗଦର୍ଶନ ଓ ପରାମର୍ଶକୁ କେବେ ବି ଭୁଲିପାରିବି ନାହିଁ।
ବିଗତ କିଛି ବର୍ଷ ଧରି ମୁଁ ଅଧିକାଂଶ ସମୟ ଓଡିଶା ବାହାରେ ରହୁଥିବାରୁ ସାରଙ୍କ ସହ ଦୂରଭାଷ ମାଧ୍ୟମରେ ସମ୍ପର୍କ ରହିଥିଲା। ସାରଙ୍କ ଦେହ ଅସୁସ୍ଥ ହେବା ପରଠାରୁ ସତ୍ୟ ଭାଇ, ପିଣ୍ଟୁ, ତପନ, ଶ୍ୟାମ ଓ ଅନ୍ୟମାନଙ୍କ ପାଖରୁ ସାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ବୁଝୁଥିଲି।
ଓଡିଶା ବାହାରେ ଥିବାରୁ ସାରଙ୍କ ଶେଷ ଦର୍ଶନରୁ ବଞ୍ଚିତ ହେବା ମୋ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଘଟଣା ଥିଲା। ସାର ଆଜି ଆମ ଗହଣ ରେ ଶାରୀରିକ ଭାବେ ନଥିଲେ ମଧ୍ୟ ତାଙ୍କ ଆଶୀର୍ବାଦ ଓ ମାର୍ଗଦର୍ଶନ ସଦାସର୍ବଦା ଆମ ସମସ୍ତଙ୍କ ଉପରେ ରହିବ।
ଏହି ଦୁଃଖଦ ସମୟରେ ମୁଁ ସାରଙ୍କ ପରିବାରବର୍ଗ, ଆତ୍ମୀୟ ସ୍ୱଜନ ଓ ଶୁଭେଚ୍ଛୁମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି। ଅମର ଆତ୍ମାର ସଦଗତି କାମନା ସହ ପ୍ରଭୁ ମହାବିନାୟକ ଓ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ଓଁ ଶାନ୍ତି । ଓଁ ଶାନ୍ତି । ଓଁ ଶାନ୍ତି ।
ଡ଼ଃ ପବିତ୍ର ମୋହନ ସାମନ୍ତରାୟ
