ଭୁବନେଶ୍ବର: ଭୁବନେଶ୍ବର ଝାରପଡ଼ା ଜେଲରେ ୫ କଏଦୀଙ୍କ ଅସୁସ୍ଥତା ଘଟଣାକୁ ନେଇ ଚାଲିଛି ଜୋରଦାର ଖୋଳତାଡ଼। ଜେଲ ହେଡକ୍ୱାର୍ଟର୍ସ ଡିଆଇଜି ବୀରେନ ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ । ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଜେଲ ଭିତରେ ଚାଲିଥିଲା କଣ ? କେମିତି ହଠାତ୍ ଅସୁସ୍ଥ ହୋଇପଡ଼ିଲେ ପାଞ୍ଚ ପାଞ୍ଚ ଜଣ କଏଦୀ? କେବଳ କଫ ସିରପ୍ ଓ ବଟିକା ନା ଏହା ପଛରେ ରହିଛି ଆଉ କିଛି ବଡ଼ ରହସ୍ୟ ? ଜେଲର କଡ଼ା ସୁରକ୍ଷା ବଳୟ ଭିତରକୁ ନିଶାଦ୍ରବ୍ଯ ପଶିଲା କେମିତି ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଜେଲ ବିଭାଗ । ଗତକାଲି ଅସ୍ୱାଭାବିକ ଆଚରଣ କରୁଥିବା ୫ ଅନ୍ତେବାସୀଙ୍କ ମଧ୍ୟ୍ୟରୁ ତିନି ଅନ୍ତେବାସୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ICUରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି, ସେମାନେ କିଛି ଟାବଲେଟ ଓ କଫ ସିରପ୍ ସେବନ କରିଥିଲେ । ଏପଟେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି, ପୂର୍ବତନ ପ୍ରିଜନ ୱେଲଫେୟାର ଅଫିସର ଶିବବ୍ରତ ଘୋଷ ।
