ଭୁବନେଶ୍ବର: ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ପବିତ୍ର ଅନୁଭୂତି ସାଉଁଟିବାକୁ ଲୋକାରଣ୍ୟ ବଡ଼ଦାଣ୍ଡ । ଘୋଷଯାତ୍ରାର ଆଦ୍ୟପର୍ବ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟା୫ରେ ମଙ୍ଗଳାର୍ପଣ ଶେଷ ସହ ଆରମ୍ଭ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମାର ସ୍ବତନ୍ତ୍ର ରୀତିନୀତି । ଭୋର ୫ଟା୧୫ ରେ ପହଣ୍ଡି ଆରମ୍ଭ ହୋଇଥିଲା । ସକାଳ ୭ ଟା ୨୫ରେ ଶେଷ ହୋଇଥିଲା ପହଣ୍ଡି । ବିଭିନ୍ନ ନୀତିକାନ୍ତି ପରେ ସେବାୟତମାନେ ଆଣିଥିବା ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା ।
ଶ୍ରୀଜଗନ୍ନାଥଙ୍କୁ ୩୫ଗରା, ବଳଭଦ୍ରଙ୍କୁ ୩୩ଗରା, ଦେବୀ ସୁଭଦ୍ରାଙ୍କୁ ୨୨ଗରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ଓ ଡିଜିଟାଲ ସର୍ଭେଲାନ୍ସରେ ରହିଛି ପୁରୀ । କୁଇକ ରିଆକ୍ସନ ଟିମ,ସ୍ପେଶାଲ ଟାକ୍ଟିକାଲ ୟୁନିଟ ସହ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବଡ଼ ଦାଣ୍ଡ ଓ ସମ୍ପୂର୍ଣ୍ଣ ପୁରୀ ସହର ସିସିଟିଭି ନଜରରେ ରହିବା ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଦ୍ଵାର ମନିଟରିଂ କରାଯାଉଛି । ସ୍ବତନ୍ତ୍ର ଟ୍ରାଫିକ୍ କଟକଣା ମଧ୍ୟ କରାଯାଇଛି ।
