ଅନୁଗୁଳ: ରକ୍ଷକ ସାଜିଲେ ଭକ୍ଷକ । ୱାଚର ବନିଲେ ଶିକାରୀ । ସାତକୋଶିଆ ଅଭୟାରଣ୍ୟରେ ହରିଣ ମାରି ମାଂସ ଖାଉଥିବା ବେଳେ କସା ମାଂସ ଓ ମୃତ ହରିଣ ମୁଣ୍ଡ ସହ ଧରାପଡିଲେ ଦୁଇ ୱାଚର ଓ ଦୁଇ ଶିକାରୀ । ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ବନବିଭାଗ। ୪ ଶିକାରୀ ହେଲେ ଟିକରପଡ଼ା ରେଞ୍ଜର ୱାଚର କୁଳମଣି ନାୟକ, ପ୍ରତାପ ଦେହୁରୀ ଓ ଦୁଇ ଗ୍ରାମବାସୀ ଶିବପ୍ରସାଦ ନାୟକ ଓ ଯୋଗେନ୍ଦ୍ର ପାଇକରା । ସୂଚନା ଅନୁସାରେ, ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜ ମଝିପଡ଼ା ସେକ୍ସନରେ ହରିଣ ଶିକାର କରି ମାଂସ ରୋଷେଇ କରି ଖାଉଥିବା ନେଇ ଖବର ପାଇଥିଲେ ଟିକରପଡା ରେଞ୍ଜ ଅଫିସର ସୁମନ୍ତ ମହାକୁଡ଼ । ତୁରନ୍ତ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଦୁଇ ୱାଚର ସମେତ ୪ ଜଣଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ରନ୍ଧା ହରିଣ ମାଂସ ସହ ମୃତ ହରିଣର ସିଂଘ ଲାଗିଥିବା ସତେଜ ମୁଣ୍ଡକୁ ଜବତ କରାଯାଇଛି ।
