ଭୁବନେଶ୍ୱର : ଭୂକମ୍ପ ବିଧ୍ୱସ୍ତ ଭେନେଜୁଏଲାରେ ଭି.କେ. ପାଣ୍ଡିଆନ । ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ସହ ଆଲୋଚନା, ସହାୟତାର ବଢ଼ାଇଲେ ହାତ! । ପୂର୍ବତନ IAS ଭି.କେ. ପାଣ୍ଡିଆନ୍ ଭୂକମ୍ପ ମହାବିପର୍ଯ୍ୟୟର ସାମ୍ନା କରୁଥିବା ସୁଦୂର ଭେନେଜୁଏଲା ଗସ୍ତ କରି ସେଠାକାର ପ୍ରଭାବିତ ଲୋକ ଓ ଉଦ୍ଧାରକାରୀ ଦଳଙ୍କ ସହ ଆଲୋଚନା କରିଛନ୍ତି । ଗତ ଶତାବ୍ଦୀ ମଧ୍ୟରେ ଦେଶର ଏହି ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ଭେନେଜୁଏଲାବାସୀଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି ।
ଗତ ଜୁନ୍ ୨୪, ୨୦୨୬ ସନ୍ଧ୍ୟାରେ ଭେନେଜୁଏଲାରେ ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଦୁଇ ଦୁଇଟି ପ୍ରଳୟଙ୍କରୀ ଭୂକମ୍ପ ଝଟ୍ କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରତା ୭.୨ ଏବଂ ୭.୫ ରେକର୍ଡ କରାଯାଇଥିଲା । ୟାରାକୁଏ ରାଜ୍ୟର ମୋରୋନ୍ ଅଞ୍ଚଳ ଏହାର କେନ୍ଦ୍ରସ୍ଥଳ ଥିଲା । ଏହି ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବ୍ୟାପକ କୋଠାବାଡ଼ି ଭୁଶୁଡ଼ି ପଡ଼ିଥିବା ବେଳେ ଲା ଗୁଆଇରା ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୨୫ ଶହ ଅତିକ୍ରମ କରିସାରିଛି । ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି । ଏଭଳି ସଙ୍କଟଜନକ ସ୍ଥିତିରେ ଭି.କେ. ପାଣ୍ଡିଆନ୍ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀ ଓ ବିପନ୍ନମାନଙ୍କୁ ଭେଟି ସେମାନଙ୍କ ସାହସକୁ ପ୍ରଶଂସା କରିଛନ୍ତି ।
ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି, “ଏହି କଠିନ ସମୟରେ ଲୋକଙ୍କ ସେବାରେ ବ୍ରତୀ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ହୃଦୟରୁ ସଲାମ୍ ଜଣାଉଛି । ଏହାପରେ ପାଣ୍ଡିଆନ୍ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଓଡ଼ିଶା ତଥା ଭାରତର ବିପର୍ଯ୍ୟୟ ମୁକାବିଲା, ପୁନରୁଦ୍ଧାର ଓ ଥଇଥାନ କ୍ଷେତ୍ରରେ ଥିବା ସଫଳ ଅଭିଜ୍ଞତାକୁ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ପାଇଁ ଉଭୟ ନେତାଙ୍କ ମଧ୍ୟରେ ବିଚାର ବିମର୍ଶ ହୋଇଥିଲା ।
ରାଷ୍ଟ୍ରପତି ରୋଡ୍ରିଗେଜ୍ ଙ୍କ ସତ୍ୟ ସାଈ ବାବାଙ୍କ ପ୍ରତି ଥିବା ଅଗାଧ ବିଶ୍ୱାସ ଓ ଆଧ୍ୟାତ୍ମିକ ସମ୍ପର୍କକୁ ମନେ ପକାଇ ଭେନେଜୁଏଲାରେ ଶୀଘ୍ର ଶାନ୍ତି ଓ ସମୃଦ୍ଧି ଫେରିଆସିବାକୁ ପ୍ରାର୍ଥନା କରିଥିଲେ । ଏହାସହିତ ସେଠାରେ ଦେବଦୂତ ସାଜି ସେବା ଯୋଗାଉଥିବା ଭାରତୀୟ ସେନା ଏବଂ ଆର୍ମି ମେଡିକାଲ କୋର୍ପସର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେନାବାହିନୀର ନିରଳସ ସେବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ବେଶ୍ ଆଦର ରହିଛି ବୋଲି ପାଣ୍ଡିଆନ ପ୍ରକାଶ କରିବା ସହ ‘ଜୟ ହିନ୍ଦ୍’ କହି ସେମାନଙ୍କୁ ସମ୍ମାନ ଜଣାଇଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭି.କେ. ପାଣ୍ଡିଆନ୍ ଙ୍କର ବହୁ ବର୍ଷର ବ୍ୟାପକ ଅଭିଜ୍ଞତା ରହିଛି ।
