ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ବିଷୟରେ ଆଲୋଚନା ବେଳେ ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା ଓସ୍ତର ଆଶାନୁରୂପ ନଥିବା ଜିଲ୍ଲାପାଳ ଲକ୍ଷ୍ୟ କରିବା ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇବା ସହିତ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ବଜାୟ ରଖିବାକୁ ବ୍ଲକ ଶିକ୍ଷା ଅଧିକାରୀ ଓ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଲଖନପୁର ସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ହଠାତ ପରିଦର୍ଶନ କରି ସେଠାକାର ଶିକ୍ଷାଦାନ ଓ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଲଖନପୁର ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀବିନୟ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ପରିଦର୍ଶନ କାଳରେ ଜିଲ୍ଲାପାଳ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ । ସ୍କୁଲ ପରିସରର ସ୍ୱାସ୍ଥ୍ୟ କର ପରିବେଶ ଉପରେ ଗୁରୁତ୍ୱ ଦେଇ, କ୍ୟାମ୍ପସ ମଧ୍ୟରେ ସ୍ୱଚ୍ଛତା ଓ ନିୟମିତ ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ ସେ ସ୍କୁଲର ଶିକ୍ଷକ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ମଧ୍ୟାହ୍ନ ଭୋଜନର ମାନଯାଞ୍ଚ କରିବା ପାଇଁ ନିଜେ କୋମଳ ମତି ଛାତ୍ରଛାତ୍ରୀ ମାନଙ୍କ ଗହଣରେ ବସି ଭୋଜନ କରିଥିଲେ । ଖାଦ୍ୟଗ୍ରହଣ କରିବା ପରେ ଏହାର ପ୍ରସ୍ତୁତି ପ୍ରଣାଳୀରେ ଅଧିକ ସୁଧାର ଆଣିବାର ଆବଶ୍ୟକତା ରହିଛି ବୋଲି ସେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କହିଥିଲେ । ଏଥିସହ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତାରେ ଯେପରି କୌଣସି ପ୍ରକାରର ସାଲିସ ନହୁଏ, ତାହା ନିଶ୍ଚିତ କରିବାକୁ ସେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ।
