ପୁରୀ : ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି । ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ରଥଯାତ୍ରା ନ ସରିବା ଯାଏ ଫିଲ୍ମ ରିଲିଜ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଏହି ଆନିମେସନ ଫିଲ୍ମରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଓ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ପିଟିସନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ।
ଏହାପୂର୍ବରୁ ଗତକାଲି ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ମୁକ୍ତିଲାଭ ଉପରେ ରହିତାଦେଶ ଲଗାଇଥିଲେ । ଚଳଚ୍ଚିତ୍ରଟି ଜୁଲାଇ ୧୭ ତାରିଖ ଅର୍ଥାତ୍ ଆଜି ଥିଏଟରରେ ମୁକ୍ତିଲାଭ କରିବାର ଥିଲା । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ଫିଲ୍ମଟି ପ୍ରଭୁ ଜଗନ୍ନାଥ ଏବଂ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ଜଡିତ କିଛି ଦୃଶ୍ୟ, ସଂଳାପ ଏବଂ ଘଟଣାଗୁଡ଼ିକୁ ଧାର୍ମିକ ବିଶ୍ୱାସ, ଶାସ୍ତ୍ର ଏବଂ ପରମ୍ପରା ସହିତ ଅସଙ୍ଗତ ଭାବରେ ଦର୍ଶାଯାଇଛି । ଫିଲ୍ମର କିଛି ଅଂଶ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ ।
