ପୁରୀ: ଶ୍ରୀମନ୍ଦିରକୁ ମହାପ୍ରଭୁ ବାହୁଡ଼ିବା ପରେ ଏବେ ନୀଳାଚଳ ଅବଢା ପାଇବା ଲାଗି ବ୍ୟାକୁଳ ଶ୍ରଦ୍ଧାଳୁ । ରଥଯାତ୍ରା ସମୟରେ ମହାପ୍ରଭୁ ନୀଳକନ୍ଦର ବଦଳରେ ନିଜ ଜନ୍ମମାଟିରେ କରୁଥିଲେ ଲୀଳାଖେଳା । ନୀଳାଚଳ ଅବଢାରୁ ବଞ୍ଚିତ ଥିଲେ ଭକ୍ତ । ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ଗତକାଲି ନୀଳାଦ୍ରି ବିଜେ ପରେ ଶ୍ରୀମନ୍ଦିର ପୁଣି ଚଳଚଞ୍ଚଳ ହୋଇଉଠିଛି ।
ସେପଟେ ଘୋଷଯାତ୍ରା ଶେଷ ପରେ ଆଜିଠାରୁ ରଥ ଫିଟାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଭୋଇ ସେବାୟତମାନେ ତିନି ରଥରେ ଥିବା ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥିଗୁଡିକୁ ଖୋଲିଥିଲେ। ରଥର କିଛି ଅଂଶଗୁଡିକ ପ୍ରତ୍ୟେକ ବର୍ଷ ନିର୍ମାଣ ହେଉ ନଥିବାରୁ ଏଗୁଡିକୁ ସୁରକ୍ଷିତ ଭାବେ ଗୁଣ୍ତିଚା ଘର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଏ। ରଥର ଅନ୍ୟ ମୁଖ୍ୟ ଅଂଶ ଗୁଡିକ ପ୍ରଶାସନର ନିର୍ଦ୍ଦେଶ ଆସିବା ପରେ ଖୋଲାଯିବ।
