ଭୁବନେଶ୍ୱର : ଦାଦନ, ବନ୍ଧକ ଶ୍ରମିକ ସମସ୍ୟା ଓ ମାନବ ଚାଲାଣ ଭଳି ଗମ୍ଭୀର ସାମାଜିକ ଅପରାଧର ସ୍ଥାୟୀ ନିରାକରଣ ପାଇଁ କିଟ୍ ବିଶ୍ୱ ବିଦ୍ୟାଳୟରରେ ‘ଓଡ଼ିଶା ରାଜ୍ୟସ୍ତରୀୟ ପରାମର୍ଶ ବୈଠକ’ ଅନୁଷ୍ଠିତ । ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳର ୨୦୦ରୁ ଅଧିକ ମୁକ୍ତ ବନ୍ଧକ ଶ୍ରମିକ ଯୋଗଦେଇ ନିଜ ଅନୁଭୂତି ଓ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ବନ୍ଧକ ଶ୍ରମିକ ଭାବେ ଲୋକଙ୍କୁ ଚାଲାଣ କରୁଥିବା ଦଲାଲ ଓ ମଧ୍ୟସ୍ଥଙ୍କ ବିରୋଧରେ ସରକାର କଠୋର ଆଇନଗତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
ଆଦିବାସୀ ଓ ଶ୍ରମିକ ଚାଲାଣ ହେଉଥିବା ଅଞ୍ଚଳରେ ଶିକ୍ଷା ଓ ସଚେତନତା ବୃଦ୍ଧି ହେଲେ ମାନବ ଚାଲାଣ ଭଳି ସମସ୍ୟାକୁ ରୋକାଯାଇପାରିବ। ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସର ଅବଦାନକୁ ପ୍ରଶଂସା କରିବା ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ବନ୍ଧକ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର ଓ ପୁନର୍ବାସ ସମ୍ପର୍କିତ SOPର ଓଡ଼ିଆ ସହ ‘Restored in Odisha’ ପୁସ୍ତକ ଉନ୍ମୋଚନ ହୋଇଛି। ସମ୍ମିଳନୀରେ ମାନବ ଚାଲାଣ ରୋକିବା, ପୀଡ଼ିତଙ୍କ ପୁନର୍ବାସ ଓ ଆନ୍ତଃରାଜ୍ୟ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଛି।
