କୁଚିଣ୍ଡା : ନାଗସାପ ଫଣାକୁ ଦାନ୍ତରେ କାମୁଡ଼ି ଛିଡ଼ାଇଲେ ଯୁବକ । ନାଗ ଚୋଟ ମାରିବା ଭୟରେ ସାପର ଫଣାକୁ କାମୁଡ଼ି ତାକୁ ମାରି ଦେଇଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ପାକେଲପଡ଼ା ସ୍ଥିତ କର୍ମାପଡ଼ା ଅଞ୍ଚଳରେ । ସେପଟେ ଯୁବକ ଜଣକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥ ଯୁବକ ଜଣକ କର୍ମାପଡ଼ାର ୪୦ ବର୍ଷୀୟ ଯୁବକ ଧରମସିଙ୍ଗ ଖଡ଼ିଆ ।
ଧରମସିଙ୍ଗ ଗତକାଲି ସନ୍ଧ୍ୟାରେ ନିଜ କ୍ଷେତକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଏକ ନାଗ ସାପ ଉପରେ ପଡ଼ିଯାଇଥିଲା । ଫଳରେ ସାପଟି ଫଣା ଟେକି ଛିଡ଼ା ହୋଇଯିବାରୁ ଭୟଭୀତ ହୋଇପଡ଼ିଥିଲେ ଧରମସିଙ୍ଗ । କାଳେ ସାପ ତାଙ୍କୁ କାମୁଡ଼ି ଦେବ ଭାବି ସେ ଓଲଟା ସାପ ଫଣାକୁ ସଙ୍ଗେ ସଙ୍ଗେ ଦାନ୍ତରେ କାମୁଡ଼ି ଛିଡାଇ ଦେଇଥିଲେ । ଘଟଣାସ୍ଥଳରେ ସାପଟି ଛଟପଟ ହୋଇ ପ୍ରାଣ ହରାଇଥିବା ବେଳେ ସାପକୁ କାମୁଡ଼ି ଗୁରୁତର ହୋଇ ପଡ଼ିଥିଲେ ଧରମସିଙ୍ଗ । ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ନାଗସାପକୁ ଓଲଟା କାମୁଡ଼ି ଦେଲେ ଶରୀରରେ ବିଷ ଚଢ଼େ ନାହିଁ ବୋଲି ବିଶ୍ବାସ କରିଥିଲେ ଧରମସିଙ୍ଗ । ଗୁଣିଆ କଥାରେ ବିଶ୍ବାସ କରି ସେ ନାଗ ସାପକୁ ଓଲଟା କାମୁଡ଼ି ମାରି ଦେଇଥିବା ଜଣାଇଛନ୍ତି ।
