ଭୁବନେଶ୍ୱର : ହାଣ୍ଡିଆ ଦେଇ ଖୋଲୁଛନ୍ତି ମ୍ୟୁଲ୍ ଆକାଉଣ୍ଟ, ଲୁଟୁଛନ୍ତି ଟଙ୍କା। ହାଣ୍ଡିଆ ପିଆଇ ଲୋକଙ୍କଠାରୁ ଭଡ଼ାରେ ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ। ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା । ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ। ଏଭଳି ଏକ ବଡ଼ ସାଇବର ଠକେଇ ଚେନ୍ ର କାବୁ କରୁଛି ସାଇବର ଥାନା ପୋଲିସ।
ମୟୂରଭଞ୍ଜରୁ ମୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂକୁ ଗିରଫ କଲା ପୋଲିସ। ବାଲେଶ୍ୱର ଅଞ୍ଚଳରେ ମୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କୁ ଠକେଇ ଟଙ୍କା ନେଣଦେଣରେ ସହଯୋଗ କରୁଥିଲା ଅଭିଯୁକ୍ତ। ୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଠକିଥିଲେ ସାଇବର ଠକ। ପରେ ହ୍ୱାଟ୍ସଆପରେ ଆପ୍ ପଠାଇ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଟଙ୍କା ମୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା।
ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ ଠକ। ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ଆକାଉଣ୍ଟ ଖାଲି କରୁଥିଲେ। ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତାରେ ଠକେଇର ଲିଙ୍କ୍ ରହିଛି। ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବାକୁ ତଦନ୍ତ ଚଳାଇଛି ସାଇବର ପୋଲିସ। ଅଭିଯୁକ୍ତ ରାଜେନ୍ଦ୍ର ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍ ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି।
