ଭୁବନେଶ୍ୱର : ଓଡ଼ିଶା ପୋଲିସ SI ପରୀକ୍ଷାର ପୂରା ପ୍ରକ୍ରିୟା CBI ସ୍କାନରରେ । OPRB ଅଧ୍ୟକ୍ଷଙ୍କୁ ପଚରାଉଚରା କରାଯାଇପାରେ । ବହୁଚର୍ଚ୍ଚିତ ୨୦୨୫ ଓଡ଼ିଶା ପୋଲିସ ସବ୍ -ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାର କେବଳ ନିର୍ଦ୍ଦିଷ୍ଟ ଅନିୟମିତତା ନୁହେଁ, ବରଂ ପରୀକ୍ଷା ସହ ଜଡ଼ିତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ CBI ତଦନ୍ତ ପରିସରରେ।
ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB), ପରୀକ୍ଷା ପରିଚାଳନା ସହ ଜଡ଼ିତ ସଂସ୍ଥା ଏବଂ ଅନ୍ୟମାନଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଥିବା ରାଜ୍ୟ ସରକାରଙ୍କୁ ଜଣାଇଛି CBI। ଏନେଇ ୨୦୨୬ ଅଗଷ୍ଟ ୧୪ରେ ଓଡ଼ିଶା ଗୃହ ବିଭାଗକୁ CBI ଏକ ଗୋପନୀୟ ଚିଠି ଲେଖିଥିଲା। CBI ଭିଜିଲାନ୍ସ ସେଲ୍ ର ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଆଲୋକ କୁମାର ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କୁ ଏହି ଚିଠି ଲେଖିଥିଲେ।
SI ନିଯୁକ୍ତି ପରୀକ୍ଷାରେ କଥିତ ଅନିୟମିତତା ନେଇ CBI ତଦନ୍ତ କେଉଁ ପର୍ଯ୍ୟାୟରେ ପହଞ୍ଚିଛି, ସେ ସମ୍ପର୍କରେ ଅଗଷ୍ଟ ୩ରେ ଗୃହ ବିଭାଗ ତଥ୍ୟ ମାଗିଥିଲା। ତାହାର ଉତ୍ତରରେ CBI ତଦନ୍ତର ସ୍ଥିତି ସ୍ପଷ୍ଟ କରିଛି। CBI ଚିଠି ଅନୁସାରେ, ୨୦୨୫ ଅକ୍ଟୋବର ୫ ଓ ୬ ତାରିଖରେ ପୋଲିସ SI ଏବଂ ସମକକ୍ଷ ପଦବୀ ପାଇଁ ପରୀକ୍ଷା ହେବାକୁ ଧାର୍ଯ୍ୟ ହୋଇଥିବା ସମୟରେ ୧୯୯୩ ବ୍ୟାଚ୍ ର IPS ଅଧିକାରୀ ସୁଶାନ୍ତ କୁମାର ନାଥ OPRBର ଅଧ୍ୟକ୍ଷ ଥିଲେ।
ପରୀକ୍ଷା ପରିଚାଳନା ସହ ଜଡ଼ିତ M/s ITI Ltdର ଅଧିକାରୀମାନଙ୍କୁ ତଦନ୍ତ ପରିସରକୁ ଆଣି ପଚରାଉଚରା କରିବା ପାଇଁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା 17A ଅନୁଯାୟୀ CBI ଅନୁମତି ମାଗିଛି। ତେବେ ଏହି ଅନୁମତି ଏବେ ବି ମିଳିନାହିଁ। CBI ଚିଠିରେ କହିଛି ଯେ, ଆବଶ୍ୟକ ଅନୁମତି ମିଳିବା ପରେ ପ୍ରଥମେ M/s ITI Ltdର ଅଧିକାରୀମାନଙ୍କୁ ପଚରାଉଚରା କରାଯିବ।
ଏହାପରେ ତତ୍କାଳୀନ OPRB ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କୁ ମଧ୍ୟ ପଚରାଉଚରା କରିବାର ଆବଶ୍ୟକତା ପଡ଼ିପାରେ। ତେବେ CBIର ଏହି ଚିଠିରେ ସୁଶାନ୍ତ କୁମାର ନାଥଙ୍କ ବିରୋଧରେ କୌଣସି ଦୋଷ କିମ୍ବା ଅନିୟମିତତା ନେଇ ନିଷ୍କର୍ଷ ଦିଆଯାଇନାହିଁ। ITI Ltdର ଅଧିକାରୀମାନଙ୍କୁ ପଚରାଉଚରା ପରେ ତଦନ୍ତର ଆବଶ୍ୟକତା ଅନୁସାରେ ତାଙ୍କୁ ପଚରାଉଚରା କରାଯାଇପାରେ ବୋଲି କେବଳ ଚିଠିରେ ଉଲ୍ଲେଖ ରହିଛି।
