ଭବନେଶ୍ୱର : ମଝି ଦରିଆରୁ ଓଡ଼ିଆ ନାବିକ ସାର୍ଥକ ମହାପାତ୍ର ନିଖୋଜ ଘଟଣାକୁ ନେଇ ମାମଲା ରୁଜୁ । ଭୁବନେଶ୍ବର ସହିଦ ନଗର ଥାନାରେ ସାର୍ଥକଙ୍କ ପରିବାର ପକ୍ଷରୁ ମାମଲା ରୁଜୁ କରାଯାଇଛି। ଫେବ୍ରୁଆରୀ ୩ରୁ MV EA Jersey ଜାହାଜରୁ ନିଖୋଜ ଅଛନ୍ତି ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ର । FIR ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏହି ଘଟଣାରେ କମ୍ପାନୀର ଅଧିକାରୀ, ଜାହାଜର କ୍ୟାପଟେନ୍, ଚିଫ୍ ଅଫିସର ଏବଂ ଜାହାଜରେ ଉପସ୍ଥିତ ଅନ୍ୟ କ୍ରୁ ସଦସ୍ୟଙ୍କ ଭୂମିକା ନେଇ ତଦନ୍ତ ଦାବି କରିଛନ୍ତି ସାର୍ଥକଙ୍କ ପରିବାର। ସାର୍ଥକଙ୍କ ମୋବାଇଲ୍ କେଉଁଠି ? ଜାହାଜର CCTV ଫୁଟେଜରେ କଣ ରହିଛି ? ତାଙ୍କ କ୍ୟାବିନ୍ କୁ ତୁରନ୍ତ ସିଲ୍ କରାଯାଇଥିଲା କି ନାହିଁ? ଏହାସହ ଅନ୍ୟ ଇଲେକ୍ଟ୍ରୋନିକ୍ ପ୍ରମାଣକୁ ନେଇ ମଧ୍ୟ ପରିବାର ପକ୍ଷରୁ ସନ୍ଦେହ କରାଯାଇଛି।
ଘଟଣା ପରେ ଜାହାଜଟି ସିଙ୍ଗାପୁରରୁ ଚୀନ୍ ଅଭିମୁଖେ ଯାଇଥିବା ନେଇ ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ତେଣୁ ସମୁଦ୍ର ମଝିରେ ସାର୍ଥକଙ୍କ ସହ କଣ ଘଟିଥିଲା? ସେ କେଉଁଠି ଅଛନ୍ତି? ଏହା ଦୁର୍ଘଟଣା, ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ?ତାହା ତଦନ୍ତ ପରେ ସ୍ପଷ୍ଟ ହେବ । .
