କଟକ : ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ କାଲିଠାରୁ ଦୁଇ ଦିନ ଧରି ଚାଲିବ ବୈଠକ। ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି। ଦୁଇ ଦିନିଆ କାର୍ଯ୍ୟକାରିଣୀରେ ପ୍ରାୟ ୪୦୦ କାର୍ଯ୍ୟକର୍ତ୍ତା, ନେତୃମଣ୍ଡଳୀ ଯୋଗ ଦେବା ନେଇ ସୂଚନା ମିଳିଛି।
ଦଳର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ ସନ୍ତୋଷ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ସମେତ ଅନ୍ୟ ଜାତୀୟ ସ୍ତରୀୟ ନେତୃମଣ୍ଡଳୀ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଧାୟକ, ସାଂଗଠନିକ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବେ।
ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଦଳକୁ କିଭଳି ଅଧିକ ମଜବୁତ୍ କରାଯାଇ ପାରିବ ସେ ନେଇ ମାନସ ମନ୍ଥନ ହେବ। ମୁଖ୍ୟତଃ ଏହି ବୈଠକରେ ତିନିଟି ପ୍ରସ୍ତାବ ଆଗତ ହୋଇ ପାରିତ ହେବା କାର୍ଯ୍ୟକ୍ରମ ରହିଛି। ବୈଠକରେ ଦଳର ସାଂଗଠନିକ ଦକ୍ଷତାକୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା କରାଯିବ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ସଫଳ ରୂପାୟନ ସଂପର୍କରେ ମଧ୍ୟ ଆଲୋଚନା କରାଯିବ। ଏହି ବୈଠକରେ କିଛି କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଦାୟିତ୍ୱ ବଣ୍ଟନ ନେଇ ଆଲୋଚନା ହୋଇପାରେ।
