ଭୁବନେଶ୍ୱର, ସେପ୍ଟେମ୍ବର ୫:
ସ୍ଥାନୀୟ ୯ ନମ୍ବରସ୍ଥିତ ରେଡକ୍ରସ ଭବନ ପରିସରରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ‘ସମର କ୍ରାନ୍ତି ସେନା’ ପକ୍ଷରୁ ଆଜି ଗୁରୁଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଡ. ସୁଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ମଲ୍ଲିକ ମୁଖ୍ୟଅତିଥି, ‘ଦ କଳିଙ୍ଗ କ୍ରୋନିକଲ’ ଓ ପର୍ଯ୍ୟବେକ୍ଷକ ର ମୁଖ୍ୟ ସମ୍ପାଦକ ଡ. ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟବକ୍ତା, ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସକ ଶ୍ରୀ ସଞ୍ଜୟ କୁମାର ମିଶ୍ର ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମାରବର ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।
ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼କ୍ଟର ଶ୍ରୀ ନିରଞ୍ଜନ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସଂଗଠନର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ମହାପାତ୍ର, ‘ପ୍ରତିକାର’ ଓଡ଼ିଆ ସମ୍ବାଦପତ୍ରର ପ୍ରତିଷ୍ଠାତା-ସମ୍ପାଦକ ଶ୍ରୀ ଶୁଭାଶିଷ ମିଶ୍ର, ଗାନ୍ଧୀବାଦୀ ସର୍ବୋଦୟ ସଂଗଠକ ଶ୍ରୀ ଗୌରାଙ୍ଗ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟବକ୍ତା ଡ. ପବିତ୍ର ମୋହନ ସାମନ୍ତରାୟ କହିଥିଲେ ଯେ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ, ବିଦ୍ୱାନ ଓ ଆଦର୍ଶ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫କୁ ସମଗ୍ର ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଏ। ୧୯୬୨ ମସିହାରେ ସେ ରାଷ୍ଟ୍ରପତି ହେବା ପରେ ତାଙ୍କ ଛାତ୍ରମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ନିଜ ଜନ୍ମଦିନ ପାଳନ ପରିବର୍ତ୍ତେ ସମଗ୍ର ଶିକ୍ଷକ ସମାଜକୁ ସମ୍ମାନ ଜଣାଇବା ପାଇଁ ଏହି ଦିନକୁ ଶିକ୍ଷକ ଦିବସ ଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ ଗୁରୁଦିବସର ପ୍ରକୃତ ଉଦ୍ଦେଶ୍ୟ କେବଳ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଶିକ୍ଷକଙ୍କ ଅବଦାନ ଓ ମାର୍ଗଦର୍ଶନ ପ୍ରତି କୃତଜ୍ଞତା ଜଣାଇବା। ଛାତ୍ରଛାତ୍ରୀମାନେ ନିଜ ଗୁରୁଜନଙ୍କୁ ହାତତିଆରି କାର୍ଡ, ଫୁଲ ଓ ଧନ୍ୟବାଦ ବାର୍ତ୍ତା ପ୍ରଦାନ କରି ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିବା ହିଁ ଏହି ଦିବସର ପ୍ରକୃତ ସାର୍ଥକତା ବୋଲି ସେମାନେ ମତ ଦେଇଥିଲେ।
ଏହି ଅବସରରେ ଓଡ଼ିଶାର ପୁରପଲ୍ଲୀରୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ ଓ ବିଦ୍ୱାନମାନଙ୍କୁ ‘ଶିକ୍ଷାଶ୍ରୀ ସମ୍ମାନ’ ଏବଂ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଓ ସଂଗଠକମାନଙ୍କୁ ‘ସେବାଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମର କ୍ରାନ୍ତି ସେନାର ସଦସ୍ୟ ଡ. ସୌମିତ୍ର କର, ସମ୍ପାଦକ ଡ. ପ୍ରମୋଦ କିଶୋର ପରିଡ଼ା, ଶଙ୍କର ବେହେରା, ମୁକେଶ ସିଂହ, ହରେକୃଷ୍ଣ ବରାଳ, ସମାଜସେବୀ ମନୋଜ ସେଠ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ବାସୁଦେବ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
