ଭୁବନେଶ୍ୱର, ସେପ୍ଟେମ୍ବର ୭:
ଅଲ୍ ଇଣ୍ଡିଆ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟସ୍ ଆସୋସିଏସନ୍ (AIMLTA) ଓଡ଼ିଶା ରାଜ୍ୟ ଶାଖାର ଦ୍ୱିତୀୟ କୋର୍ କମିଟି ବୈଠକ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଭବିଷ୍ୟତ ବିକାଶ, ସୁଦୃଢ଼ୀକରଣ ଓ ମେଡିକାଲ୍ ଲାବୋରେଟୋରୀ କ୍ଷେତ୍ରର ଉନ୍ନତି ନେଇ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ଜଣ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ ଏହି ବୈଠକରେ ଯୋଗଦେଇ ସଙ୍ଗଠନର ଆଗାମୀ କାର୍ଯ୍ୟପନ୍ଥା ଓ ବିକାଶ ରଣନୀତି ଉପରେ ମତାମତ ରଖିଥିଲେ।
ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ (BMC)ର ୨୩ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ମାନସୀରାଣୀ ସୁନ୍ଦରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭାବେ ପଞ୍ଜୀକୃତ ଆଜୀବନ ସଦସ୍ୟମାନଙ୍କୁ ସଦସ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ।
ବୈଠକରେ ଆଗାମୀ ୪୫ତମ ଅଲ୍ ଇଣ୍ଡିଆ କନଫରେନ୍ସ ଓ ସାଇଣ୍ଟିଫିକ୍ ସେମିନାରର ପ୍ରସ୍ତୁତି, ଆୟୋଜନର ରୂପରେଖା ଏବଂ ବିଭିନ୍ନ ଦିଗ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।
ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ସହ ମେଡିକାଲ୍ ଲାବୋରେଟୋରୀ ପେଶାର ମର୍ଯ୍ୟାଦା, ଅଧିକାର ଓ ଭବିଷ୍ୟତ ସୁଯୋଗ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ନେତୃବୃନ୍ଦ, ପ୍ରତିନିଧି, ଟେକ୍ନୋଲୋଜିଷ୍ଟ ଓ ସଦସ୍ୟମାନଙ୍କୁ AIMLTA ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରାଯାଇଛି।
