ପୁରୀ : ଜମିବାଡ଼ିକୁ କେନ୍ଦ୍ରକରି ମହିଳାଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଜମି ମାପଚୁପ ବେଳେ ସିଦ୍ଧ ମହାବୀର ଅଞ୍ଚଳର ଜ୍ୟୋସ୍ନାମୟୀ ମିଶ୍ରଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି । ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ସିଦ୍ଧ ମହାବୀର ଅଞ୍ଚଳରେ ଜମିବାଡ଼ିକୁ ନେଇ ମାପଚୁପ ଚାଲିଥିଲା । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା ।
ଅଭିଯୋଗ ଅନୁସାରେ, ବଚସା ଉଗ୍ରରୂପ ନେବା ପରେ ପ୍ରତିପକ୍ଷ ଜଣେ ହଠାତ୍ ଖଣ୍ଡାରେ ଜ୍ୟୋସ୍ନାମୟୀଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଚୋଟରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣା ସମ୍ପର୍କରେ ଖବର ପାଇ ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
