କଟକ: ଭାରତ ମସଲାର ୨୭ତମ ଭାରତ ପ୍ରତିଭା ସମ୍ମାନ । ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୧୪ ତାରିଖ ଗଣେଶ ପୂଜା ଅବସରରେ କଟକ ସହିଦ ଭବନରେ ଅନୁଷ୍ଠିତ ହେବ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯିବ । ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଏହା ପ୍ରକାଶ କରିଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କିଟ , କିମସ , କିସ୍ ର ପ୍ରତିଷ୍ଠାତା ତଥା ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ‘ ଭାରତ ଗୌରବ ସମ୍ମାନ ‘ ପ୍ରଦାନ କରାଯିବ ।
ଭାରତୀୟ ନୌସେନାର ଭାଇସ୍ ଆଡ୍ ମିରାଲ କ୍ୟାପଟେନ୍ ରମାକାନ୍ତ ପଟ୍ଟନାୟକଙ୍କୁ ‘ ସେବା ଭାରତ ସମ୍ମାନ ’ , ସମାଜବିଜ୍ଞାନୀ , ଭାଷା ତତ୍ତ୍ବବିତ୍ ଓ ସାରସ୍ଵତ ସାଧକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ “ କଥା ଭାରତ ସମ୍ମାନ ’ ପ୍ରଦାନ କରାଯିବ । ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ ‘ ସଂସ୍କୃତି ଭାରତ ସମ୍ମାନ, କ୍ରୀଡା କ୍ଷେତ୍ରରେ ସଫଳ କ୍ରିକେଟିୟର ରାଜେଶ କୁମାର ମହାନ୍ତିଙ୍କୁ ‘ କ୍ରୀଡା ଭାରତ ସମ୍ମାନ ” , ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ବଲପୁରର ଲତା ବାଗ୍ ଓ ପୁଷ୍ପଲତା ସାହୁଙ୍କୁ ‘ ଉଦ୍ୟୋଗୀ ଭାରତ ସମ୍ମାନ ’ ଦିଆଯିବ ।
ସେହିପରି ଶିକ୍ଷା କ୍ଷେତ୍ରରେ + ୨ ବିଜ୍ଞାନ , ବାଣିଜ୍ୟ ଓ କଳାରେ ଯଥାକ୍ରମେ ମେଧା ବିଦ୍ୟାର୍ଥୀ କମଳାକାନ୍ତ ରଣା , ଶୁଭମ୍ ନାୟକ ଓ ଅଙ୍କିତା ନାୟକଙ୍କୁ “ ବିଦ୍ୟାଭାରତ ସମ୍ମାନ’ରେ ସମ୍ମାନିତ କରାଯିବ। ସେହିପରି ଜୟ ଭାରତ ଫାଉଣ୍ଡେସନ୍ କୁ ସହଯୋଗ କରି ଆସୁଥିବା ଭାରତ ମସଲା କଂପାନୀ ପକ୍ଷରୁ ନୂତନ ଭାବରେ ଶିଳ୍ପ କ୍ଷେତ୍ରରେ ରାଜ୍ୟର ନାମକୁ ଶୀର୍ଷରେ ପହଂଚାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ‘ ଉଦ୍ୟୋଗ ଭାରତ ‘ ସମ୍ମାନ ପ୍ରଦାନ କରାଯିବ। ୧୯୯୯ ମସିହାରୁ ଜନ୍ମ ନେଇଥିବା ଭାରତ ମସଲା ଆଜି ତାର ମାନ , ପରିମାଣ , ଗୁଣବତ୍ତା ପାଇଁ ସାରା ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କେବଳ ବ୍ୟବସାୟୀକ କ୍ଷେତ୍ରରେ ନୁହେଁ ରାଜ୍ୟରେ ଘଟୁଥିବା ବିଭିନ୍ନ ଦୈଵଦୁର୍ବିପାକ ସମୟରେ ସାମାଜିକ ଦାୟିତ୍ବବୋଧତାକୁ ମଧ୍ୟ ସୂଚାରୁ ରୂପେ ତୁଲାଇ ଆସୁଛି ବୋଲି ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
