ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମ୍ଭାବନା । ରାହୁଲ ଗାନ୍ଧୀଙ୍କ ଆବେଦନ ସହ ଦିଲ୍ଲୀ ପ୍ରତିବାଦ ମାମଲା ଉପରେ ନଜର । ଆଜି ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ, ଭୋଟର ତାଲିକା ସଂଶୋଧନ ଓ ଦିଲ୍ଲୀରେ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ନଜର ରହିଛି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଦାଖଲ ଆବେଦନର ଆଜି ଶୁଣାଣି ହୋଇପାରେ ।
ସେହିପରି ଦିଲ୍ଲୀରେ ମେଟ୍ରୋ ଓ ରେଳସେବା ବନ୍ଦ, ପ୍ରତିବାଦକାରୀଙ୍କୁ ଅଟକ ଏବଂ ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ସମ୍ପର୍କିତ ମାମଲା ମଧ୍ୟ ଆଜି ପୁଣି ବିଚାର ପାଇଁ ଧାର୍ଯ୍ୟ ହୋଇଛି । ସୋମବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ବିରୋଧୀ ଦଳ ନେତାମାନେ ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିଥିଲେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ଉଠାଇବା ସହ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ ଆଇଆର୍ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି । ପ୍ରଥମେ ବିରୋଧୀ ଦଳ ନେତାମାନେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଭେଟି ସ୍ମାରକପତ୍ର ଦେବାକୁ ଚାହୁଁଥିଲେ । କିନ୍ତୁ ପ୍ରଧାନ ବିଚାରପତି ଏହି ଅନୁରୋଧକୁ ଗ୍ରହଣ କରିନଥିଲେ । ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଅଦାଲତରେ ବିଚାରାଧୀନ ଥିବାରୁ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଆବେଦନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଆଇନଜୀବୀ ଏସ୍ . ପ୍ରସନ୍ନ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ମାମଲାର ନାମ ରହିଛି ‘ରାହୁଲ ଗାନ୍ଧୀ ବନାମ ଭାରତୀୟ ନିର୍ବାଚନ କମିଶନ’। ଏହି ଆବେଦନକୁ ଶୁଣାଣି ପାଇଁ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପ୍ରକ୍ରିୟା ଶେଷ ହେଲେ ଆଜି ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ଶୁଣାଣି ହୋଇପାରେ।
ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାମାନଙ୍କ ଅଭିଯୋଗ ହେଉଛି, ଏସ୍ ଆଇଆର୍ ପ୍ରକ୍ରିୟାରେ ବହୁ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି । ଏହା ନାଗରିକଙ୍କ ମତଦାନ ଅଧିକାରକୁ ପ୍ରଭାବିତ କରୁଥିବା ସେମାନେ ଦାବି କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନରଙ୍କ ଭୂମିକା ଉପରେ ମଧ୍ୟ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ନିର୍ବାଚନ କମିଶନ ଓ ବିଜେପି ଏହି ପ୍ରକ୍ରିୟା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହିତ ଆଜି ଦିଲ୍ଲୀ ପ୍ରତିବାଦ ସମ୍ପର୍କିତ ଆଉ କେତେକ ମାମଲାର ଶୁଣାଣି ହେବାକୁ ଯାଉଛି । ବିଶେଷକରି ଅକ୍ଟୋବର ୧୦ରେ କକ୍ରୋଚ୍ ଜନତା ପାର୍ଟି ବା ସିଜେପିର ପ୍ରତିବାଦ ସମୟରେ ମେଟ୍ରୋ ଷ୍ଟେସନ ବନ୍ଦ, ରେଳସେବା ବାତିଲ ଏବଂ ଲୋକଙ୍କୁ ଅଟକ ରଖିବା ଘଟଣାରେ ଦାଖଲ ଆବେଦନର ପୁଣି ଶୁଣାଣି ହେବ । ରବିବାର ସ୍ୱତନ୍ତ୍ର ଶୁଣାଣି କରି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ଏହି ଘଟଣାରେ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ । ମେଟ୍ରୋ ଓ ରେଳସେବା ସ୍ୱାଭାବିକ ରଖିବା, ଇଣ୍ଟରନେଟ୍ ସେବାରେ ଅନାବଶ୍ୟକ ବାଧା ନଦେବା, ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନରଖିବା ଏବଂ ଆଇନଜୀବୀ ଓ ସାମ୍ବାଦିକଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ କୋର୍ଟ କହିଥିଲେ ।
ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମର ଅଧ୍ୟକ୍ଷ ଡି. ଥାରାଙ୍କୁ ନୋଟିସ୍ ଜାରି ହୋଇଛି । ଆଜି ସୁଦ୍ଧା ଜବାବ ସହ ନିର୍ଦ୍ଦେଶ ପାଳନ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ତେବେ ଅଦାଲତ ଏପର୍ଯ୍ୟନ୍ତ ଅବମାନନା ଅଭିଯୋଗ ଚୂଡ଼ାନ୍ତ ଭାବେ ପ୍ରମାଣିତ ହୋଇଥିବା କହିନାହାନ୍ତି । ସେହିପରି ପ୍ରତିବାଦ ସମୟରେ ଆଇନଜୀବୀଙ୍କୁ ଅଟକ ଓ ଆକ୍ରମଣ କରାଯାଇଥିବା ଅଭିଯୋଗ ଉପରେ ମଧ୍ୟ ଆଜି ଶୁଣାଣି ହେବ । ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଏହି ପ୍ରସଙ୍ଗରେ ଆବେଦନ କରିଛି ।
ଆଇନଜୀବୀଙ୍କୁ ଅଟକ ରଖିବା ସମ୍ପର୍କିତ ତଥ୍ୟ, ପୋଲିସ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଓ ସିସିଟିଭି ଫୁଟେଜ୍ ସଂରକ୍ଷଣ ପାଇଁ ଦାବି ହୋଇଛି । ସୋମବାର ଏହି ପ୍ରସଙ୍ଗ ଉଠିବା ବେଳେ ପ୍ରଧାନ ବିଚାରପତି କହିଥିଲେ, ଗଣତାନ୍ତ୍ରିକ କାର୍ଯ୍ୟକଳାପ ଚାଲିପାରିବ, କିନ୍ତୁ ଅଦାଲତର କାର୍ଯ୍ୟରେ ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସୁପ୍ରିମକୋର୍ଟକୁ ରାଜନୈତିକ ବିବାଦର କେନ୍ଦ୍ର କରାନଯିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ଏହିପରି ଭାବେ ଆଜି ସୁପ୍ରିମକୋର୍ଟରେ ଭୋଟର ତାଲିକା ସଂଶୋଧନ, ନିର୍ବାଚନ କମିଶନଙ୍କ ଭୂମିକା, ପ୍ରତିବାଦ କରିବାର ଅଧିକାର ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଭଳି ଏକାଧିକ ପ୍ରସଙ୍ଗ ଉପରେ ଆଇନଗତ ବିଚାର ହେବାର ସମ୍ଭାବନା ରହିଛି । ରାହୁଲ ଗାନ୍ଧୀଙ୍କ ନୂଆ ଆବେଦନର ଶୁଣାଣି ହେବ କି ନାହିଁ ଏବଂ ଦିଲ୍ଲୀ ପ୍ରତିବାଦ ମାମଲାରେ କୋର୍ଟ କି ନିର୍ଦ୍ଦେଶ ଦେବେ, ତାହା ଉପରେ ରହିବ ନଜର ।
