ଶାରଦୀୟ ପାର୍ବଣରେ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ। ଷୋଡ଼ଶଦିନାତ୍ମକ ପୂଜାର ପରମ୍ପରା ମଧ୍ୟରେ ବିଭିନ୍ନ ଦେବୀପୀଠରେ ଚାଲିଛି ମା’ ମହାମାୟାଙ୍କ ଆରାଧନା। ଶ୍ରୀମନ୍ଦିର ନିକଟରେ ମା’ ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଛନ୍ତି ମା’ କାକୁଡ଼ିଖାଇ। ମହାଷ୍ଟମୀ ଅବସରରେ ମା’ଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା। ଏହି ଷୋଡ଼ଶଦିନାତ୍ମକ ପୂଜା ସମୟରେ ମା’ ବିମଳାଙ୍କ ମନ୍ଦିରରେ ମହିଳାଙ୍କ ଦର୍ଶନ ସମ୍ପର୍କିତ ପାରମ୍ପରିକ ନିୟମ ରହିଥିବାରୁ, ମା’ କାକୁଡ଼ିଖାଇଙ୍କ ଦର୍ଶନ ଭକ୍ତଙ୍କ ପାଇଁ ଗୁରୁତ୍ୱ ବହନ କରେ।
ଶ୍ରୀକ୍ଷେତ୍ରର ଦୁର୍ଗାପୂଜା କଥା ଉଠିଲେ ଗୋଶାଣୀ ପୂଜାର ଚର୍ଚ୍ଚା ନିଶ୍ଚୟ ଆସେ। ଏଠାକାର ବିଶାଳକାୟ ଗୋଶାଣୀ ମୂର୍ତ୍ତି କେବଳ ପୂଜାର ଆକର୍ଷଣ ନୁହେଁ, ବରଂ ପୁରୀର ଦୀର୍ଘଦିନର ଲୋକପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ପ୍ରତୀକ। ମା’ ବାରବାଟୀ, ମା’ ଯହ୍ନିଖାଇ, ମା’ ବେଲବାଇ ଓ ମା’ ତ୍ରିପୁରାସୁନ୍ଦରୀଙ୍କ ପରି ବିଭିନ୍ନ ଗୋଶାଣୀଙ୍କ ପୂଜାକୁ ନେଇ ଶ୍ରୀକ୍ଷେତ୍ରରେ ରହିଛି ସ୍ୱତନ୍ତ୍ର ଆକର୍ଷଣ। ଆଜି ମହାଷ୍ଟମୀରେ ଦୋଳମଣ୍ଡପ ସାହିର ମା’ ଯହ୍ନିଖାଇ ଗୋଶାଣୀଙ୍କ ପୀଠରେ ମଧ୍ୟ ଚାଲିଛି ପୂଜାର୍ଚ୍ଚନା। ମା’ଙ୍କ ବିଶାଳ ରୂପ ଦର୍ଶନ କରି ଭକ୍ତମାନେ ଭକ୍ତିଭାବରେ ମଗ୍ନ ହେଉଛନ୍ତି। ଏଠାରେ ପାରମ୍ପରିକ ରୀତିରେ ଶୁଖିଲା ଭୋଗ ଅର୍ପଣ କରାଯାଇଥାଏ ।
ମୂଳାଷ୍ଟମୀରୁ ଆରମ୍ଭ ହୋଇଥିବା ଶାରଦୀୟ ପୂଜାରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଗୋଟିଏ ପଟେ ମା’ କାକୁଡ଼ିଖାଇଙ୍କ ପୂଜା, ଅନ୍ୟପଟେ ଗୋଶାଣୀ ପରମ୍ପରାର ଆକର୍ଷଣ ଶ୍ରୀକ୍ଷେତ୍ରର ମହାଷ୍ଟମୀ ଭକ୍ତି ଓ ଐତିହ୍ୟର ଅନନ୍ୟ ସମନ୍ୱୟ ପ୍ରକାଶ କରୁଛି। ଆଜି ମହାଷ୍ଟମୀ ପରେ ଆସନ୍ତାକାଲି ପାଳିତ ହେବ ମହାନବମୀ। ମା’ଙ୍କ ଆରାଧନାରେ ମଗ୍ନ ଶ୍ରୀକ୍ଷେତ୍ରରେ ଜାରି ରହିଛି ପାର୍ବଣର ଆଧ୍ୟାତ୍ମିକ ମାହୋଲ।
