ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେଇ ପୁରୀ ଶ୍ରୀମନ୍ଦିରରେ OBCC ପକ୍ଷରୁ ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଅବସରରେ ମନ୍ତ୍ରୀ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହ ଭିତ୍ତିଭୂମି ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚ ଗୁଣବତ୍ତା ଓ ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଯେପରି ସୁଗମ, ସୁବ୍ୟବସ୍ଥିତ ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି।
