ଭୁବନେଶ୍ୱର : ଲାଞ୍ଚ ନେଇ ଧରାପଡ଼ିଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ । ରାଜସ୍ୱ ସଚିବଙ୍କ କଡ଼ା ଚେତାବନୀ । ପ୍ରୋବେସନରେ ଥିବା ORS ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣାରେ ମର୍ମାହତ ଡ. ଅରବିନ୍ଦ ପାଢ଼ୀ । ବିଭାଗର ସମସ୍ତ କର୍ମଚାରୀଙ୍କୁ ଚିଠି ଲେଖି ସଚ୍ଚୋଟତା ଓ ନୈତିକତାର ପାଠ ପଢ଼ାଇଲେ । ଦୁର୍ନୀତି କଲେ ନିସ୍ତାର ନାହିଁ। ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହେଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ ହୋଇପାରେ କାର୍ଯ୍ୟାନୁଷ୍ଠାନ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ। ଜଣେ ଯୁବ ଓଡ଼ିଶା ରାଜସ୍ୱ ସେବା ବା ORS ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଦେଶ୍ୟରେ ସେ ଏକ ଚିଠି ଲେଖିଛନ୍ତି।
ଚିଠିରେ ଡ. ପାଢ଼ୀ ଉଲ୍ଲେଖ କରିଛନ୍ତି, କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରାଯାଇଥିଲା। ଦୁର୍ନୀତି ନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। କିନ୍ତୁ ଏହାର କିଛି ଦିନ ମଧ୍ୟରେ ପ୍ରଶିକ୍ଷଣ କାଳରେ ଥିବା ଜଣେ ଯୁବ ORS ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିବା ଘଟଣା ତାଙ୍କୁ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି।
ସରକାରୀ ସେବାରେ ନୈତିକତା ଓ ସଚ୍ଚୋଟତା ଉପରେ ବାରମ୍ବାର ଗୁରୁତ୍ୱ ଦିଆଯିବା ସତ୍ତ୍ୱେ ଏଭଳି ଘଟଣା ଘଟିବା ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି। ସରକାରୀ ଚାକିରି କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ବରଂ ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ। ଏହି କଥାକୁ ନିଜ ଚିଠିରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜସ୍ୱ ସଚିବ।
ଜଣେ ଅଧିକାରୀଙ୍କ ଦୁର୍ନୀତି କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଳଙ୍କିତ କରେ ନାହିଁ, ସମଗ୍ର ବିଭାଗର ମର୍ଯ୍ୟାଦାକୁ ମଧ୍ୟ କ୍ଷୁଣ୍ଣ କରିଥାଏ। ଏହାଦ୍ୱାରା ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯାଏ ବୋଲି ସେ ଉଲ୍ଲେଖ କରିଛନ୍ତି। ଦୁର୍ନୀତି ପ୍ରତି ବିଭାଗର ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଡ. ପାଢ଼ୀ। ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଆଇନ ଓ ସେବା ନିୟମ ଅନୁଯାୟୀ କଠୋର ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ। ଆବଶ୍ୟକ ସ୍ଥଳେ ଚାକିରିରୁ ବହିଷ୍କାର ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।
ତେବେ କେବଳ ଦୁର୍ନୀତିଗ୍ରସ୍ତଙ୍କୁ ଚେତାବନୀ ଦେଇ ନାହାନ୍ତି ରାଜସ୍ୱ ସଚିବ। ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀଙ୍କ ପାଇଁ ମଧ୍ୟ ଦେଇଛନ୍ତି ବଡ଼ ଆଶ୍ୱାସନା। ବିଭାଗର ସଚିବ ଭାବେ ସେ ନିଜେ ନୈତିକତା, ଶୃଙ୍ଖଳା ଓ ସଚ୍ଚୋଟତାର ସମସ୍ତ ମାନଦଣ୍ଡ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସତ୍ୟନିଷ୍ଠାର ସହ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ ପାଖରେ ସେ ସର୍ବଦା ରହିବେ ବୋଲି କହିଛନ୍ତି।
ବିଶେଷକରି ସଚ୍ଚୋଟ ଅଧିକାରୀଙ୍କୁ ଅଯଥା ବାହ୍ୟ ଚାପ ଓ ମନ୍ଦ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତିଙ୍କ ହସ୍ତକ୍ଷେପରୁ ସୁରକ୍ଷା ଦେବା ପାଇଁ ସେ ଉଦ୍ୟମ କରିବେ ବୋଲି ଜଣାଇଛନ୍ତି। ବିଭାଗରେ ଅନେକ ସଚ୍ଚୋଟ, ସାହସୀ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ରହିଛନ୍ତି, ଯେଉଁମାନେ ସମାଜରେ ଦୃଶ୍ୟମାନ ପରିବର୍ତ୍ତନ ଆଣିପାରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି। ଅସତ୍ ଉପାୟରେ ଅର୍ଜିତ ଧନ ଓ କ୍ଷମତାଠାରୁ ନିର୍ମଳ ବିବେକ, ଆତ୍ମସମ୍ମାନ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଅଧିକ ମୂଲ୍ୟବାନ ବୋଲି ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଡ. ପାଢ଼ୀ।
ଚିଠିର ଶେଷରେ ସମସ୍ତ ସହକର୍ମୀଙ୍କୁ ଆତ୍ମସମୀକ୍ଷା କରିବାକୁ ଆହ୍ୱାନ ଦେଇଛନ୍ତି ରାଜସ୍ୱ ସଚିବ। ଏକ ସ୍ୱଚ୍ଛ, ସଚ୍ଚୋଟ, ଦୁର୍ନୀତିମୁକ୍ତ ଓ ଜନସେବା ପ୍ରତି ସମର୍ପିତ ବିଭାଗ ଗଢ଼ିବାକୁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ବୋଲି କହିଛନ୍ତି। ରାଜସ୍ୱ ବିଭାଗ ପ୍ରତି ଜନସାଧାରଣଙ୍କ ଦୃଷ୍ଟିକୋଣ ବଦଳାଇବାକୁ ପଡ଼ିବ ବୋଲି ସେ ଉଲ୍ଲେଖ କରିଛନ୍ତି। ‘ଆମ ବିବେକ ହେଉ ଆମର ମାର୍ଗଦର୍ଶକ, ଆଉ ଜନସାଧାରଣଙ୍କ ବିଶ୍ୱାସ ହେଉ ଆମର ସର୍ବଶ୍ରେଷ୍ଠ ପୁଞ୍ଜି।’
ଏହି ବାର୍ତ୍ତା ସହ ନିଜ ଚିଠି ଶେଷ କରିଛନ୍ତି ଡ. ଅରବିନ୍ଦ କୁମାର ପାଢ଼ୀ। ପ୍ରଶିକ୍ଷଣ କାଳରେ ଥିବା ଜଣେ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ପରେ ବିଭାଗୀୟ ମୁଖ୍ୟଙ୍କ ଏହି ଚିଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହା କେବଳ ଦୁର୍ନୀତି ବିରୋଧରେ ଚେତାବନୀ ନୁହେଁ, ବରଂ ସରକାରୀ ସେବାରେ ନୈତିକତା, ଉତ୍ତରଦାୟିତ୍ୱ ଓ ଜନବିଶ୍ୱାସକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ ଏକ ସ୍ପଷ୍ଟ ଆହ୍ୱାନ।
