ନୂଆଦିଲ୍ଲୀ: ଦୀପାବଳିର ଖୁସି ମଧ୍ୟରେ ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କ ମନୋବଳ ବଢ଼ାଇବାକୁ ସୀମାନ୍ତ ଅଞ୍ଚଳ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ଦିନିଆ ଗସ୍ତରେ ସେ ଦାର୍ଜିଲିଂ, ସିଲିଗୁଡ଼ି ଓ ସିକିମ୍ ଯାତ୍ରା କରିବେ । ଏହି ଅବସରରେ ସେ ଭାରତୀୟ ସେନାର ଯବାନମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଦୀପାବଳି ପାଳନ କରିବେ । ଏଥିସହ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇବେ ।
ପ୍ରତିରକ୍ଷା ମନ୍ତ୍ରୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଦୀପାବଳି ପୂର୍ବ ସନ୍ଧ୍ୟାରେ ସେ ଦାର୍ଜିଲିଂର ବାଗଡୋଗ୍ରା ଏୟାରଫିଲ୍ଡ ଏବଂ ସିଲିଗୁଡ଼ିର ସୁକନା ଅଞ୍ଚଳ ଗସ୍ତ କରିବେ । ସେଠାରେ ଭାରତୀୟ ସେନାର ଯବାନମାନଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ । ସେହିପରି ନଭେମ୍ବର ୮ ତାରିଖ ଅର୍ଥାତ୍ ଦୀପାବଳି ଦିନ ସେ ସିକିମ୍ ଗସ୍ତ କରିବେ । ସେଠାରେ ଶେରଥାଙ୍ଗ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେହି ଅଞ୍ଚଳରେ ନିୟୋଜିତ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ଆଲୋଚନା କରିବେ । ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନଙ୍କ ସହ ଏହି ପର୍ବ ପାଳନ କରିବା ତାଙ୍କ ପାଇଁ ଗର୍ବର ବିଷୟ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତିବର୍ଷ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି ।
