ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଖେଇ ଆସୁଛି। ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ। ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ଦଶହରା ପାଳନ ହେବ। ଏଥି ପାଇଁ କର୍ମଜୀବୀ ବ୍ୟକ୍ତିମାନେ ଆନମନା ହେବାରେ ଲାଗିଲେଣି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦଶହରା ପାଇଁ ଅଧିକାଂଶ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସହିତ ଅନ୍ୟ ସଂସ୍ଥାରେ ଛୁଟି ରହିଥାଏ। ଏହି ସମୟରେ ଦଶହାରା ଛୁଟି ପାଳିବା ପାଇଁ ଲୋକେ ନିଜନିଜ ସ୍ତରରେ ଯୋଜନା ମଧ୍ୟ ଆରମ୍ଭ କରିସାରିଛନ୍ତି। ଦଶହରାରେ କେଉଁଠିକୁ ବୁଲିବାକୁ ଯିବେ ଓ କେମିତି ଛୁଟି ବିତାଇବେ ଏସବୁ ଚିନ୍ତା କରୁଛନ୍ତି। ଏହାର କାରଣ ଅବକାଶ ସମୟ କାରଣରୁ ସେପ୍ଟେମ୍ବର ଶେଷ ସପ୍ତାହ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ପର୍ଯ୍ୟଟନର ସହର ଓ ସ୍ଥାନରେ ଲୋକଙ୍କର ଭିଡ଼ ରହିବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପାର୍ବଣ ସମୟରେ ସ୍ବତନ୍ତ୍ର ଟ୍ରେନ୍ ସେବା ଯୋଗାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦୁର୍ଗାପୂଜା ଅବସରରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ଆବଶ୍ୟକ ଥିବା ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ତେଣୁ ଯାତ୍ରୀମାନେ କୌଣସି ସ୍ଥାନକୁ ଯିବା ପୂର୍ବରୁ ତରବରିଆ ଭାବେ ଟ୍ରେନ୍ ଟିକେଟ୍ ବୁକିଂ ନକରି, ନିଜ ଲକ୍ଷ୍ୟ ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ୍ ସୁବିଧା ରହିଛି କି? ରେଳବାଇର ୱେବ୍ସାଇଟ୍ ସହିତ ଅନ୍ୟ ଟ୍ରାଭେଲ୍ ବୁକିଂ ସଂସ୍ଥା ମାଧ୍ୟମରେ ଭିଡ଼ରୁ ବର୍ତ୍ତି ପାରିବେ।
