ଗତକାଲି ଦିପାବଳୀ ପରେ ପରେ ପୂରା ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀର ଆକାଶ। ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଘୋଡ଼ାଇ ରଖିଥିବାର ଦେଖିବାକୁ ମିଳିଛି।
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମାକୁ ଉଲ୍ଲଂଘନ କରି ଲଗାତର ଭାବେ ବାଣ ମାରି ଚାଲିଥିଲେ ଦିଲ୍ଲୀ ବାସିନ୍ଦା। ଯାହାଫଳରେ ରାତି ଅଧରେ ଆକାଶ ଦିଶୁଥିଲା ବେଶ୍ ଧୂଆଁଳିଆ। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ବର୍ଗକୁ ଖସିଯାଇଛି।
ତଥ୍ୟ ଅନୁଯାୟୀ, ଉତ୍ସବ ପାଳନ ମଧ୍ୟରେ ପ୍ରଦୂଷଣ ସ୍ତର ଖରାପ ହେବା ସହିତ ସକାଳ ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୫୧ ରହିଥିଲା। ଯାହାକି ଜାତୀୟ ହାରାହାରିଠାରୁ ୧.୮ ଗୁଣ ଅଧିକ।ଦୀପାବଳି ରାତିରେ ଏକ୍ୟୁଆଇ “ଅତ୍ୟନ୍ତ ଖରାପ” ବର୍ଗକୁ ଖସିଗଲା। ନୋଇଡା ଏବଂ ଗୁରୁଗ୍ରାମ ଭଳି ସାଟେଲାଇଟ୍ ସହରଗୁଡ଼ିକର ସ୍ଥିତି ମଧ୍ୟ ଭଲ ନଥିଲା, ମଙ୍ଗଳବାର ସକାଳେ ଏକ୍ୟୁଆଇ ଯଥାକ୍ରମେ ୪୦୭ ଏବଂ ୪୦୨ ଥିଲା। ଗତବର୍ଷ ଦୀପାବଳି ପରେ ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗରେ ରେକର୍ଡ କରାଯାଇଥିଲା। ଏକ୍ୟୁଆଇ ଥିଲା ୩୫୯।
