ଘୁ.ଉଦୟଗିରି: କନ୍ଧମାଳ ଏବଂ ଗଂଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ କରିଛି। ନିର୍ମାଣକାମ ପ୍ରାୟତଃ ଶେଷ ହୋଇଯାଇଥିବା ବେଳେ ୧୫୭ ନମ୍ବର ଜାତୀୟ ରାଜପଥରେ ଆଜି ଠାରୁ ଛୋଟ ଭାରି ଗାଡ଼ିର ଶଦ୍ଦ ପୁଣି ଶୁଭିଛି। ଯାଜନବାହନ ଚଳାଚଳ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଖୁସି ଦେଖାଯାଇଛି। ବିଶେଷ ଭାବରେ ଏହି ରାସ୍ତାକଡ଼ରେ ବ୍ୟବସାୟ କରି ପରିବାର ଚଳାଉଥିବା ଲୋକେ ଉତ୍ସାହିତ ଦେଖାଯାଇଛନ୍ତି। କଳିଙ୍ଗା ଘାଟି ଭୂସ୍ଖଳନକୁ ୪୭ଦିନ ବିତିଗଲା। ହେଲେ ରାସ୍ତାରେ ଯାନବାହନ ଯାତାୟତ ନିମନ୍ତେ ଜିଲ୍ଲା ପ୍ରଶାସନ କି ଜାତୀୟ ରାଜପଥ କର୍ତ୍ତୃପକ୍ଷ କୌଣସି ଆଦେଶ ଜାରି କରିନାହାନ୍ତି। ହେଲେ ଆଜି କଳିଙ୍ଗା ଘାଟି ରାସ୍ତାରେ କାର, ଛୋଟ ମାଲଗାଡ଼ି ଏବଂ ବାଇକ୍ ଯାତାୟତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କଳିଙ୍ଗା ଘାଟିରେ ଦୁଇ ଦୁଇ ଥର ଭୂସ୍ଖଳନ ସହ ଗୋଟିଏ ପରେ ଗୋଟିଏ ଲଘୁଚାପ, ବର୍ଷା ଏବଂ ବାତ୍ୟା ଯୋଗୁଁ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥାନ ରାସ୍ତା ନିର୍ମାଣ ସରିଛି। ପ୍ରଥମେ ସିସି ରାସ୍ତାର ଉପରେ ହ୍ୟୁମ ପାଇପ ତା ଉପରେ ପୁଣି ସିସି ରାସ୍ତା ନିର୍ମାଣ ପରେ ପାହାଡ଼ ଉପରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବଡ଼ବଡ଼ ପଥରକୁ ବ୍ଳାଷ୍ଟିଂ କରି ବାହାର କରାଯାଇ ଆଜି ରାସ୍ତାରୁ ସବୁ ପଥର, ମାଟି ଏବଂ ବାଲି ବାହାର କରାଯାଇଛି ବାକି ଅଛି ଦୁଇ ପାର୍ଶ୍ଵର ଗାର୍ଡ ୱାଲ। ତଥାପି ଆଜି ଧର୍ଯ୍ୟହରା ହୋଇ ଗାଡ଼ି ଚାଳକମାନେ ସେଇ ରାସ୍ତାରେ ଯାନବାହନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟତ ନିମନ୍ତେ କୌଣସି ନିର୍ଦେଶ ଆସିନି।
