ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ରେଳମଣ୍ଡଳ ପାଇଁ ଏକ ବିପୁଳ ରାଜସ୍ୱ ସୃଷ୍ଟିକାରୀ ଅଞ୍ଚଳ ହେଉଛି ରାଉରକେଲା। ମୋଟ୍ ରାଜସ୍ବର ସିଂହଭାଗ କେବଳ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ସୃଷ୍ଟି ହେଉଛି। ଏହାସତ୍ତ୍ବେ ଓଡ଼ିଶାର ଅନ୍ୟତମ ଶିଳ୍ପକେନ୍ଦ୍ର ରାଉରକେଲାକୁ କ୍ରମାଗତଭାବେ ଅବହେଳା କରାଯାଉଛି। ଏଠାରେ ଭିତ୍ତିଭୂମି ବିକାଶ କରାଯାଉନି କିମ୍ବା ଯାତ୍ରୀ ସୁବିଧା ଦିଗକୁ ଦୃଷ୍ଟି ଦିଆଯାଉନି। ପୃଥକ ରେଳମଣ୍ଡଳ, ରାଉରକେଲା ଓ ପାନପୋଷ ରେଳଷ୍ଟେସନର ନବକଲେବର, ନୂତନ ଫ୍ରେଟ୍ କରିଡର୍ ଆଦି ପାଇଁ ଦୀର୍ଘ ଦିନହେଲା ଦାବି ହେଉଛି, କିନ୍ତୁ ରେଳବିଭାଗର ଶୁଭଦୃଷ୍ଟି ପଡ଼ୁନି। ଏକାଧିକବାର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି।
ରାଉରକେଲା ତଥା ଖଣିଜପଦାର୍ଥ ସମୃଦ୍ଧ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେଉଁଝର ଜିଲ୍ଲା ହେଉଛି ଚକ୍ରଧରପୁର ରେଳମଣ୍ଡଳର ଆୟର ମେରୁଦଣ୍ଡ। ମାଲ୍ ପରିବହନ ବାବଦକୁ ଏହି ଡିଭିଜନର ବାର୍ଷିକ ଆୟରେ କେବଳ ସୁନ୍ଦରଗଡ଼-କେନ୍ଦୁଝର-ଝାରସୁଗୁଡ଼ାର ଅବଦାନ ହେଉଛି ପାଖାପାଖି ୬୦-୭୦%। ଏହାସେତ୍ତ୍ବ ସ୍ଥାନୀୟ ବିକାଶକୁ ଧ୍ୟାନ ଦିଆଯାଉନି। ଜିଲ୍ଲା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରୁ ବଞ୍ଚିତ ହୋଇଛି। ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନ ସହ ପୂର୍ବତଟ ରେଳବାଇ ଅଧୀନରେ ସାମିଲ କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି।
ବର୍ତ୍ତମାନ ଚକ୍ରଧରପୁର ଡିଭିଜନ ଅଧୀନରେ ୭୪୧.୭୦୫ କିଲୋମିଟର ରେଳପଥ ରହିଛି। ଏଥିମଧ୍ୟରୁ ୩୩୭.୭୯୮ କିଲୋମିଟର ଝାଡ଼ଖଣ୍ଡ ଓ ୪୦୫.୯୦୭ କିଲୋମିଟର ଓଡ଼ିଶାରେ ଅବସ୍ଥିତ। ଏଠାରେ ଡିଭିଜନ୍ ସ୍ଥାପନହେଲେ ବନ୍ଧମୁଣ୍ଡାଠାରେ ଅବ୍ୟବହୃତ ରେଳବାଇ ଜମି, କ୍ବାର୍ଟର୍ସ୍କୁ ବ୍ୟବହାର କରାଯାଇପାରିବ। ଏହି ଦାବି ନେଇ ବିଗତ ଦିନରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସମେତ ବିଧାୟକ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଦାବି ବାସ୍ତବ ରୂପ ନେଇପାରୁନି। ଏତଦ୍ବ୍ୟତୀତ ୬୦ ଦଶନ୍ଧି ପୁରୁଣା ଦାବି, ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ପ୍ରକଳ୍ପ ମଧ୍ୟ ବେଗ ଧରିପାରୁନି। ଅନୁଗୁଳ ପଟୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ସୁନ୍ଦରଗଡ଼ ପଟୁ ନିର୍ମାଣ ଆରମ୍ଭ ହୋଇପାରୁନଥିଲା। ଢେର୍ ବିଳମ୍ବପରେ ବିମଳାଗଡ଼ପଟୁ ନିର୍ମାଣ ଆରମ୍ଭ ହୋଇଛି ସତ; କିନ୍ତୁ ଏହା ବେଗ ଧରିିପାରୁନି। ଅପରପକ୍ଷରେ ଏବେବି ଦେବଗଡ଼ରେ ଜମିଅଧିଗ୍ରହଣ ପ୍ରକ୍ରିୟା ସଂପନ୍ନ ହୋଇନଥିବାରୁ ପ୍ରକଳ୍ପ କେବେ ସରିବ, ତାହା ଅସ୍ପଷ୍ଟ।
ଏସିଆର ଦ୍ବିତୀୟ ବୃହତ୍ତମ ମାର୍ସାଲିଂ ୟାର୍ଡ୍
ରାଉରକେଲାଠାରୁ ମାତ୍ର ୧୦ କିଲୋମିଟର ଦୂରତାରେ ବନ୍ଧମୁଣ୍ଡାରେ ଏସିଆର ଦ୍ବିତୀୟ ବୃହତ୍ତମ ମାର୍ସାଲିଂ ୟାର୍ଡ୍ ଅବସ୍ଥିତ, କିନ୍ତୁ ଏହାକୁ ବିକଶିତ କରାଯାଉନି। ବିଗତ ଦିନରେ ରାଉରକେଲାକୁ ଏଲିଟ୍ ତାଲିକାରୁ ବାଦ୍ ଦେବା, ସହରବାସୀଙ୍କୁ ନିରାଶ କରିଥିଲା। ବିଶ୍ୱସ୍ତରୀୟ ପରିବହନ କେନ୍ଦ୍ର ଭାବେ ପୁନଃବିକାଶ ପାଇଁ ପ୍ରସ୍ତାବିତ ୯୦ଟି ରେଳ ଷ୍ଟେସନ ତାଲିକାରୁ ରାଉରକେଲାକୁ ବାଦ୍ ଦିଆଯାଇଥିଲା। ବର୍ତ୍ତମାନ ସମସ୍ତ ମାଲ୍ବାହୀ ଟ୍ରେନ୍ ରାଉରକେଲା ଷ୍ଟେସନ ଦେଇ ଚଳାଚଳ କରୁଛି। ତେବେ ମାଲବାହୀ ଟ୍ରେନ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ପାସେଞ୍ଜର୍ ଟ୍ରେନ୍ ବିଳମ୍ବରେ ଗଡ଼ୁଛି। ଏହି ସମସ୍ୟାକୁ ଦୂର କରିବାକୁ କଲୁଙ୍ଗା-ଲାଠିକଟା ନୂତନ ଫ୍ରେଟ୍ କରିଡର୍ ନିର୍ମାଣ କରିବାକୁ ଯୋଜନା କରାଯାଇଥିଲା। ତେବେ ଏହି ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏହି ୧୮ କିଲୋମିଟର ବିଶିଷ୍ଟ ରେଳପଥକୁ ସଂଯୋଗକରି ଫ୍ରେଟ୍ କରିଡର୍ ପାଇଁ ପ୍ରାୟ ୨ବର୍ଷ ପୂର୍ବେ ସର୍ଭେ କରାଯାଇଥିଲା।
ଆହୁରି ପଢ଼ନ୍ତୁ: Health In Rourkela: ଆଇସିୟୁରେ ରାଉରକେଲାର ସ୍ୱାସ୍ଥ୍ୟ: ନୂଆ ମେଡିକାଲ କଲେଜ ପାଇଁ ଆନ୍ତରିକତା ନାହିଁ
