ନିକଟ ଭବିଷ୍ୟତରେ ଏବେ ରାଜ୍ୟରେ ନିର୍ବାଚନ ନାହିଁ। ତଥାପି ଦଳ ବଦଳାଉଛନ୍ତି ନେତା ଓ କର୍ମୀ। କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକ ଅଧ୍ୟକ୍ଷ ଆଜି ବିଜୁ ଜନତା ଦଳ (ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏହି ଅବରସରେ ସେ କହିଛନ୍ତି, ସାଧାରଣ ନିର୍ବାଚନ-୨୦୨୪ ପରେ ପରାଜୟ ପରେ ବିଜେଡିରୁ ସନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସୁଯୋଗ ଦେଉ ନଥିଲେ ବୋଲି ଅଭିଯୋଗ ଆଣିଛନ୍ତି।
କନ୍ଧମାଳ ଜିଲ୍ଲାରେ ଧୀରେଧୀରେ ବିଜେଡି ଗଡ ଭାଙ୍ଗିବାରେ ଲାଗିଛି। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଅତୀତରେ ବିଜେଡି ସହିତ ସଂପର୍କ ରଖିଥିବା ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନେ ଦେଖାଯାଉଛନ୍ତି। ଅନେକ ନେତା ଓ କର୍ମୀ ଦଳ ଛାଡ଼ି ଆସିଥିବା ବେଳେ ଆଜି ବିଜେଡ଼ିର ଟାଣୁଆ ନେତା ତଥା ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କହଁର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଉପସ୍ଥିତିରେ ନିଜ ଶତାଧିକ ନେତା ଓ କର୍ମୀମାନଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି।ଶ୍ରୀ କହଁର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମ ଦଳର ନେତାମାନେ କଥା ହେବାରତ ଦୂରର କଥା, ତାଙ୍କୁ ଦେଖିବା ବି ସମ୍ଭବ ହୋଇ ପାରିନଥିଲା। ଭିକେ ପାଣ୍ଡିଆନ ହିଁ ସର୍ବେସର୍ବା ଥିଲେ। ବ୍ଲକ ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ତାଙ୍କୁ ମୁଣ୍ଡିଆ ମାରୁଥିଲେ। କିନ୍ତୁ ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଲୋକଙ୍କ ସହ ମିଶୁଛନ୍ତି। ତାଙ୍କର କାର୍ଯ୍ୟ ଧାରାକୁ ନେଇ ବିଜେପି ପ୍ରତି ଆକର୍ଷିତ ହୋଇଛି। ସେଥି ପାଇଁ ମୁଁ ଦଳରେ ସାମିଲ ହୋଇଛି। ଆଗକୁ ବହୁ ଅଧ୍ୟକ୍ଷ ଅଧ୍ୟକ୍ଷା ମଧ୍ୟ ବିଜେଡି ଦଳ ତ୍ୟାଗ କରି ବିଜେପି ରେ ସାମିଲ ହେବେ।
