ଭୁବନେଶ୍ୱର: ଗବେଷଣା, ଦକ୍ଷତା ନିର୍ମାଣ ଓ ଜ୍ଞାନ ପ୍ରସାର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକଳାପକୁ ଅଗ୍ରସର କରିବା ଉଦ୍ଦେଶ୍ୟରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ଓ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ସୋସାଇଟି ଅଫ୍ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ (ଏସଇଇ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସାକ୍ଷର କରିଛି।
୨୪-୨୬ ନଭେମ୍ବର ୨୦୨୫ ମଧ୍ୟରେ ଭୁବନେଶ୍ୱରର ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ଅନୁଷ୍ଠାନରେ ଆୟୋଜିତ, ଦ୍ୱିତୀୟ ଅନ୍ତର୍ଜାତୀୟ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ କଂଗ୍ରେସ ସମୟରେ ସିୟୁଓର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଏବଂ ଏସଇଇର ସାଧାରଣ ସଚିବ ଡ଼. ଜିତେନ୍ଦ୍ର କୁମାର ଚୌହାନଙ୍କ ଦ୍ୱାରା ଏହି ଏମଓୟୁ ସାକ୍ଷର ଏବଂ ବିନିମୟ କରାଯାଇଥିଲା। ଏହି ଅବସରରେ ଏସଇଇର ସଭାପତି ପ୍ରଫେସର ପ୍ରେମଜିତ ସିଂ, କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଇମ୍ଫାଲର କୁଳପତି ପ୍ରଫେସର ଅନୁପମ ମିଶ୍ର ଏବଂ ସିୟୁଓର କୃଷି ବିଭାଗାଧ୍ୟକ୍ଷ ଡ଼. ମଞ୍ଜୁଶ୍ରୀ ସିଂହ ଉପସ୍ଥିତ ଥିଲେ।
ପ୍ରଫେସର ପଣ୍ଡା କହିଥିଲେ ଯେ, ଏହି ଏମଓୟୁ ଦ୍ୱାରା ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ସହଯୋଗର ଏକ ସୁଦୃଢ଼ ସମ୍ପର୍କ ତିଆରି ହେବ, ଯେଉଁଥିରେ ସେମିନାର, ସମ୍ମିଳନୀ, କର୍ମଶାଳା ଓ ଶିକ୍ଷା ସମ୍ପର୍କୀୟ ବିଭିନ୍ନ ସଂଯୁକ୍ତ ଆୟୋଜନ; ଜର୍ଣ୍ଣାଲ ପ୍ରକାଶନରେ ସହଯୋଗ; ଏବଂ ଏକ୍ସଟେନ୍ସନ୍ ଏଡ୍ୟୁକେସନ୍ ସହିତ ସମ୍ପର୍କିତ କ୍ଷେତ୍ରରେ ଗବେଷଣା ଓ ପ୍ରଶିକ୍ଷଣକୁ ଉନ୍ନତ କରାଯିବ।
