ଯାଜପୁର : ରାଜ୍ୟସ୍ତରୀୟ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଯାପିତ । ବିଶ୍ୱ ଐତିହ୍ୟ ସପ୍ତାହ ପାଳନ ଅବସରରେ ଉଦୟଗିରି ଠାରେ ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଷୋଡ଼ଶ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଯାପିତ ହୋଇଯାଇଛି । ଗୁରୁ ପଦ୍ମସମ୍ଭବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଚଳିତ ବର୍ଷର ମହୋତ୍ସବ।
ଆସନ୍ତା ଜାନୁଆରୀରେ ଆୟୋଜିତ ହେବ ଦ୍ଵିତୀୟ ବାର୍ଷିକ ଗୁରୁ ପଦ୍ମସମ୍ଭବ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ । ଶୋଭନୀୟ ଶିକ୍ଷାଶ୍ରମର ନିର୍ଦ୍ଦେଶିକା ଡ଼. ଅରୁନ୍ଧତୀ ଦେବୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ରାଜ୍ୟ ପୂର୍ତ୍ତ, ଅବକାରୀ ଓ ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଚଳିତ ବର୍ଷ ମହାବୋଧି ସୋସାଇଟି ଓଡିଶା ଶାଖାର ମୁଖ୍ୟ ଧମ୍ମଗୋଭେଶୁ ଥେରୋଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୨ଦିନ ଧରି ଆଲୋଚନା ଚକ୍ର, ଫଟୋ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳାର ଆୟୋଜିତ ହୋଇଥିଲା। ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
