ଭୁବନେଶ୍ୱର : ଆଜି ଉପସ୍ଥାପିତ ହେଲା ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ । ଏହାସହ ୩ ଲକ୍ଷ କୋଟି ଟଙ୍କା ଟପିଲା ରାଜ୍ୟ ବଜେଟ୍ ଆକାର । ଫେବ୍ରୁଆରୀ ବଜେଟରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଆଜିର ଅତିରିକ୍ତ ବଜେଟ୍ ପରେ ରାଜ୍ୟ ବଜେଟ୍ ହୋଇଛି ୩ ଲକ୍ଷ ୭ ହଜାର ୪୪୦ କୋଟି ଟଙ୍କା । ଆଜି ଯେଉଁ ଅତିରିକ୍ତ ବଜେଟ୍ ଆସିଛି ସେଥିରେ କାର୍ଯ୍ୟକ୍ରମ ବ୍ୟୟବରାଦ ୧୩ ହଜାର ୭୧୬ କୋଟି ଟଙ୍କା ରହିଛି । ପ୍ରଶାସନିକ ବ୍ୟୟ ୩ ହଜାର ୩୮୯ କୋଟି ଟଙ୍କା ରହିଛି ।
ସବୁଠାରୁ ଅଧିକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ବ୍ୟୟବରାଦ ହୋଇଛି । ମୂଳ ବଜେଟରେ ୧୫୩୮ କୋଟି ଟଙ୍କା ବ୍ୟୟ ଆକଳନ ହୋଇଥିଲା । ଅତିରିକ୍ତ ବଜେଟରେ ୪ ହଜାର ୩୨୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨ ହଜାର କୋଟି ଟଙ୍କା, ଅର୍ଥ ବିଭାଗକୁ ୧୪୨୨ କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୧୫୯ କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ୮୫୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଛି ।
ଅତିରିକ୍ତ ବଜେଟରେ ସାଧାରଣ ବଣ୍ଟନ ବ୍ୟବସ୍ଥାନରେ ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠିରେ ପାଇଁ ୩ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରିହାତି ପାଇଁ ୧୩୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସମୃଦ୍ଧ କୃଷକ ଯୋଜନାରେ ଇନପୁଟ୍ ସବସିଡି ପାଇଁ ୮୫୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ମମତା ଅଧୀନରେ ୧୪୨ କୋଟି ଟଙ୍କା ଓ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୪୦୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନ ପାଇଁ ୨୧୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
