ଭୁବନେଶ୍ୱର : ମହାନଦୀ ସଂକଟର ସମାଧାନ କେବେ ? ରାଜ୍ୟ ସରକାର ଟ୍ରିବ୍ୟୁନାଲରୁ ଓହରିଯିବେ କି ? ଆପୋସ ସମାଧାନ ପାଇଁ କଣ ସର୍ତ୍ତାବଳୀ ରଖାଯାଇଛି ? ଏନେଇ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ମହାନଦୀ ପ୍ରସଙ୍ଗରେ ଉଚ୍ଚସ୍ତରୀୟ କମିଟି ଗଠନ ହେବା ପରେ ପ୍ରଥମଥର ପାଇଁ ବିଜେଡି ବିଧିବଦ୍ଧ ଭାବେ ସରକାରଙ୍କୁ ଏହି ପ୍ରଶ୍ନ କରିଛି ।
ମହାନଦୀ ଜଳ ବିବାଦର ଶୀଘ୍ର ସମାଧାନ ପାଇଁ ଟ୍ରିପଲ ଇଞ୍ଜନ ସରକାରଙ୍କ ଠାରୁ ରାଜ୍ୟବାସୀ ଆଶା ରଖିଥିଲେ । କିନ୍ତୁ କେବଳ ରାଜ୍ୟ ସରକାର କମିଟି ପରେ କମିଟି ଗଠନ କରୁଥିବା କହିଛି ବିଜେଡି । ସେପଟେ ସରକାରୀ ଦଳ କହିଛି, ଆସନ୍ତା ୨୨ରେ ମହାନଦୀ ଜଳ ବିବାଦ ମାମଲାର ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ବସିବ । ଏହା ପରେ ନିଷ୍ପତ୍ତି ହେବ ସରକାର କି ପଦକ୍ଷେପ ନେବେ।
ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ନେଇ ୨୨ ତାରିଖରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ । କମିଟିରେ ସ୍ଥିର ହେବ ଆଗକୁ ସରକାର କ’ଣ ପଦକ୍ଷେପ ନେବେ ।
ମହାନଦୀ ବିବାଦ ସମାଧାନ ପାଇଁ ସରକାରଙ୍କ ପଦକ୍ଷେପ କଣ ରହିବ ସେ ନେଇ କମିଟିରେ ବିସ୍ତୃତ ଆଲୋଚନା ହେବ । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟାରେ ଜବାବ ରଖି ଜୟନାରାୟଣ ମିଶ୍ର କହିଛନ୍ତି ପରାମର୍ଶ ଦେଇଥିବାରୁ ଧନ୍ୟବାଦ । ସରକାର କ’ଣ ନିଷ୍ପତ୍ତି ନେବେ କମିଟି ବୈଠକ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
