ଗୋପାଳପୁର :
ଗୋପାଳପୁର ବେଳାଭୂମି ମହୋତ୍ସବର ଆଜିର ତୃତୀୟ ସଂଧ୍ଯାରେ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।
ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ଉତ୍ପର୍ଣ୍ଣ ହୋଇଛି। ତେଣୁ ବିକଶିତ ଭାରତ-ବିକଶିତ ଓଡିଶାର ପରିକଳ୍ପନାରେ ଗଞ୍ଜାମ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟଅତିଥି ଶ୍ରୀମତୀ ପାଢ଼ୀ।

ମହୋତ୍ସବର ଶୁଭାରମ୍ଭ ବର୍ଷ ଗୁଡିକରେ ମୁଁ ଏହି ମହୋତ୍ସବକୁ ଦେଖିଛି। ଆଜିର ସମୁଦ୍ର ବନ୍ଦନା, ମଞ୍ଚର କଳେବର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନ ସମୁଦ୍ର ମୋତେ ଅଭିଭୂତ କରିଛି । ଗଞ୍ଜାମର ଗର୍ବ ଓ ଓଡ଼ିଆର ଗୌରବ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ନାମରେ ସମର୍ପିତ ମଞ୍ଚ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମୃଦ୍ଧ ସଂସ୍କୃତିର ପ୍ରଭୁତ ପ୍ରସାର ସହ ଆଞ୍ଚଳିକ ଓ ଦେଶର ବିଭିନ୍ନ ଅଞ୍ଚଳର କଳା ଉପସ୍ଥାପିତ ହୋଇପାରିଛି ବୋଲି ସେ କହିଥିଲେ।
ସାମଗ୍ରିକ ବେଳାଭୂମି ମାନବ ସମାଜର ଜୀବନଶୈଳୀ ପାଇଁ ଆବଶ୍ୟକ ରହିଛି। ଓଡିଶାର ବେଳାଭୂମି ଗୁଡିକ କିପରି ପରିଷ୍କାର ପରିଚ୍ଛନ ରହିବ ସେଥିପ୍ରତି ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ରହିଛି ବୋଲି ସେ ମଧ୍ୟ କହିଥିଲେ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୋପାଳପୁର ମହୋଦଧି କୂଳରେ ମହାପ୍ରଭୁ ଓ ଦେବା ଦେବୀଙ୍କ ମହାବନ୍ଦନା ଏବଂ ତା ମଧ୍ୟରେ କଚ୍ଛପ ଦେବତାଙ୍କ ଆଗମନର ଦିବ୍ୟ ଓ ଭବ୍ୟ ଅନୁଭୂତି ସମ୍ପର୍କରେ ଶବ୍ଦ ମାଧ୍ୟମରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଏହି ମହୋତ୍ସବ କେବଳ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିକୁ ବୟାନ କରୁନି ଏହା ଓଡ଼ିଶାର ସୌନ୍ଦର୍ଯ୍ୟ ଓ ସମୃଦ୍ଧତା କୁ ବୟାନ କରୁଛି। ଡବଲ ଇଞ୍ଜିନର ସରକାର ସମୟରେ ହିଁ ଏଭଳି ମହାର୍ଘ୍ୟ ମହୋତ୍ସବ ଆୟୋଜନ ହୋଇପାରେ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଉଲ୍ଲେଖ କରିଥିଲେ।
ମହୋତ୍ସବର ଉଦ୍ୟୋକ୍ତା ତଥା ବାଣିଜ୍ଯ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ସମସ୍ତଙ୍କର ସହଯୋଗରେ ଆଗାମୀ ଦିନରେ ଏହି ମହୋତ୍ସବକୁ ବିଶ୍ୱର ଏକ ଅନନ୍ୟ ମହୋତ୍ସବରେ ପରିଣତ କରାଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଦିଗପହଣ୍ଡି ବିଧାୟକ ତଥା ସୁପ୍ରସିଦ୍ଧ କଳାକାର ଡ ସିଦ୍ଧାନ୍ତ ମହାପାତ୍ର କହିଥିଲେ ଯେ, ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ। ଯାହାଫଳରେ ଏହାର ସୁଦୂର ପ୍ରସାର ହୋଇପାରିବ। ଅଧିକରୁ ଅଧିକ ପର୍ଯ୍ୟଟକ ଏ ମାଟିକୁ ଆସିପାରିବେ।
ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ ନାୟକ କହିଛନ୍ତି ଯେ, ଦିନେ ଉତ୍ସବ ଭାବରେ ପରିଗଣିତ ହେଉଥିବା ଏ ଉତ୍ସବ ଆଜି ଏ ବର୍ଷ ଏକ ବିଶାଳ ମହୋତ୍ସବରେ ପରିଣତ ହୋଇଛି। ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ମାନଙ୍କର ଆଶୀର୍ବାଦ ଏବଂ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଓ ଜ଼ିଲ୍ଲା ପ୍ରଶାସନର ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି।
