ଭୁବନେଶ୍ୱର : ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା 2026 ବଜେଟ ଉପସ୍ଥାପନ କରିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ବଜେଟକୁ ଶାସକ ଦଳ ପକ୍ଷରୁ ବିକାଶପୂର୍ଣ୍ଣ ବଜେଟ ଭାବେ ସ୍ୱାଗତ ଓ ସମର୍ଥନ କରାଯାଇଥିବା ବେଳେ ବିରୋଧୀ ପକ୍ଷରୁ ସମାଲୋଚନା କରାଯାଇଛି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଜେଟ୍ ରେ ପ୍ରତିକ୍ରିୟା ପ୍ରକାଶ କରି ” କଣ କହିବି ବଜେଟ ବିଷୟରେ। ପୁରା ବ୍ୟଞ୍ଜନ, ଖାଲି ରୋଷେଇ ଘର” ବୋଲି କହିଛନ୍ତି ।
ସେହିପରି ବିଜେଡି ବିଧାୟକ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟାରେ -“ଖାଦ୍ୟ ସାରଣୀ ଅଛି କିନ୍ତୁ ରୋଷେଇ ଘରେ କିଛି ନାହିଁ । ଏମାନଂକ ପାଖରେ ରାତି ବଡ । ରାତି ପାହିଲେ ମଧ୍ଯ ସ୍ୱପ୍ନ ସରିବ ନାହିଁ । ରୁଣ କରି ବଜେଟ୍ ଆକାର ବଢେଇଛନ୍ତି । ହାତୀ ଭଳିଆ ବଜେଟ୍ । ପିମ୍ପୁଡ଼ି ଭଳି ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ।
ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି -” ଅନ୍ତଃ ସାର ଶୂନ୍ୟ ବଜେଟ୍ । କେନ୍ଦ୍ରୀୟ ଅନୁଦାନ କମୁଛି । ନା କୁ ମାତ୍ର କିଛି ନୂଆ ଯୋଜନା କରାଯାଇଛି । ଏଥିରେ ବିଶେଷ ଅର୍ଥ ବ୍ୟବସ୍ଥା ନାହିଁ । ଯେଉଁଭଳି ଆର୍ଥିକ ପରିଚାଳନା କରାଯାଉଛି ଓଡିଶା ପଛକୁ ପଛ ଯାଉଛି ” ବୋଲି କହିଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ନିରାଶଜନକ ବଜେଟ୍। ପୂର୍ବ ବଜେଟ୍ ଖର୍ଚ୍ଚ କରି ପାରୁ ନାହାନ୍ତି । ରୁଣ ବଢାଇବାରେ ଲାଗିଛନ୍ତି। ବଜେଟ୍ ରେ କିଛି ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ବଜେଟ୍ ରେ ନୂଆ ନାହିଁ । ରୁଣ କରି ଗୁଣ ଗାଇବା ପାଇଁ ଏ ବଜେଟ୍ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ।
