ନୂଆଦିଲ୍ଲୀ : ଭାରତୀୟ ଫଟୋଗ୍ରାଫିର ଏକ ଯୁଗର ଅନ୍ତ । ବିଦାୟ ନେଲେ କିମ୍ବଦନ୍ତୀ ଫଟୋଗ୍ରାଫର ରଘୁ ରାୟ । ୮୩ ବର୍ଷ ବୟସରେ ଦିଲ୍ଲୀରେ ପରଲୋକ । କ୍ୟାମେରାରେ କଏଦ କରିଥିଲେ ଭାରତର ଆତ୍ମା । ମଦର ଟେରେସାଙ୍କ ଠାରୁ ଭୋପାଳ ଗ୍ୟାସ ଟ୍ରାଜେଡି ପର୍ଯ୍ୟନ୍ତ । ବିଶିଷ୍ଟ ଭାରତୀୟ ଫଟୋଗ୍ରାଫର ଏବଂ ଫଟୋ-ସାମ୍ବାଦିକ ରଘୁ ରାୟ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ୨ ବର୍ଷ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ । ତାଙ୍କ ମୃତ୍ୟୁରେ ଭାରତୀୟ ଚିତ୍ରକଳା ଓ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି
। ୧୯୪୨ ମସିହାରେ ଜନ୍ମିତ ରଘୁ ରାୟ ଜଣେ ସିଭିଲ୍ ଇଞ୍ଜିନିୟର ଭାବେ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ୧୯୬୦ ଦଶକରେ ନିଜ ଭାଇଙ୍କ ପ୍ରେରଣାରେ ଫଟୋଗ୍ରାଫିକୁ ପେଶା ଭାବେ ଗ୍ରହଣ କରିଥିଲେ। ୧୯୬୬ରେ ସେ ‘ଦି ଷ୍ଟେଟ୍ସମ୍ୟାନ’ରେ ଯୋଗ ଦେଇଥିଲେ। ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମର ଫଟୋ ଉତ୍ତୋଳନ କରି ବିଶ୍ୱସ୍ତରରେ ପରିଚିତ ହୋଇଥିଲେ। ୧୯୭୨ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସେ ବିଶ୍ୱର ପ୍ରତିଷ୍ଠିତ ‘ମ୍ୟାଗନମ୍ ଫଟୋଜ’ ର ପ୍ରଥମ ଭାରତୀୟ ସଦସ୍ୟ ଥିଲେ।
ରଘୁ ରାୟ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ବ୍ୟକ୍ତିବିଶେଷଙ୍କୁ କ୍ୟାମେରାରେ କଏଦ କରିଥିଲେ। ଇନ୍ଦିରା ଗାନ୍ଧୀ, ମଦର ଟେରେସା, ଦଲାଇ ଲାମା ଏବଂ ଭୋପାଳ ଗ୍ୟାସ ଦୁର୍ଘଟଣାର ଫଟୋ ତାଙ୍କର ସବୁଠାରୁ ଚର୍ଚ୍ଚିତ କାମ ମଧ୍ୟରେ ଅନ୍ୟତମ। ସେ ୫୫ରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ସେ କହୁଥିଲେ, “ମୁଁ ଯେଉଁଆଡ଼େ ବି ଯାଏ, ମୋ କ୍ୟାମେରା ମାଧ୍ୟମରେ ହିଁ ଦର୍ଶନ କରେ। ମୁଁ ମୋ କ୍ୟାମେରା ଜରିଆରେ ହିଁ ମୋ ଭଗବାନଙ୍କୁ ଭେଟେ।” ତାଙ୍କ ପତ୍ନୀ ଗୁରମିତ୍, ପୁଅ ନିତିନ ଏବଂ ତିନି ଝିଅ ଅଛନ୍ତି। ରଘୁ ରାୟ କେବଳ ଫଟୋ ଉଠାଉ ନଥିଲେ, ବରଂ ସେ ଫଟୋ ମାଧ୍ୟମରେ ଭାରତର ସଂସ୍କୃତି ଓ ସଂଘର୍ଷକୁ ଜୀବନ୍ତ କରୁଥିଲେ। ଆଜି ଲୋଧି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରଘୁ ରାୟଙ୍କ ଲେନ୍ସ ସବୁଦିନ ପାଇଁ ଭାରତର ଇତିହାସକୁ ଜୀବନ୍ତ ରଖିବ।
