ପିପିଲି : ପୁରୀ ଜିଲ୍ଲା କଣାସରେ ଜନଗହଳିପୂର୍ଣ୍ଣ ମାଛ ବଜାରରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଗିରଫ । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିବା ପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ । କଣାସ ଥାନା ଦୋକନ୍ଦା ଗ୍ରାମର ମୃତ୍ୟୁଞ୍ଜୟ ଭାରିମଳଙ୍କୁ ଶନିବାର ଦିନ ଗୋଲାବଜାର ମାଛ ମାର୍କେଟ ନିକଟରେ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୩ରୁ ୬ ଜଣ ଦୁର୍ବୃତ୍ତ ଏକ ଧାରୁଆ ପନିକିରେ ମୃତ୍ୟୁଞ୍ଜୟଙ୍କୁ ନିର୍ମମ ଭାବେ ହାଣିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହିଥିବା ବେଳେ ବଜାରରେ ଆତଙ୍କ ଖେଳାଇଥିଲେ ଅପରାଧୀ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କଣାସ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାଡ୍ ତୁରନ୍ତ ତଦନ୍ତ ଆରମ୍ଭ କରି ଏହି ବର୍ବରକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ିଛି। ଗୁରୁତର ଅବସ୍ଥାରେ ମୃତ୍ୟୁଞ୍ଜୟଙ୍କ ଭୁବନେଶ୍ୱର AIIMSରେ ଚିକିତ୍ସା ଚାଲିଛି । ସେ ଏବେ ମଧ୍ୟ ଜୀବନ ସହ ସଂଗ୍ରାମ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସର୍ବସାଧାରଣ ସ୍ଥାନରେ ଦିବାଲୋକରେ ହିଂସାକାଣ୍ଡ ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି କରିଛି। ଅପରାଧୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ପାଇଁ ଦାବି ହୋଇଛି ।
