ଜଳେଶ୍ବର : ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ । ଦୁଇଟି ବନ୍ଧୁକ ସମେତ ୧୦ ଟି ଅଫୂଟା ଗୂଳି, ଗୋଟିଏ କାର, କଟୁରୀ, ଶାବଳ, ଛୂରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା- ବାଲିଆପାଳ ମୁଖ୍ଯ ରାସ୍ତାର ପୁଟୁରା ଛକରେ ଚଢଉ କରି ଜବଦ କରିଛି ପୋଲିସ । ବିଳମ୍ବିତ ରାତିରେ ଏକ କାରରେ ୫ ଜଣ ଯାଉଥିବା ବେଳେ ସିଂଲା ପୋଲିସ ସେମାନଙ୍କ ପିଛା କରି ଅଚାନକ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ୨ ଜଣ ଚମ୍ପଟ ମାରିଥିବା ବେଳେ ଦୁଇ ନାବାଳକ ସମେତ ୩ ଜଣକୁ ଗିରଫ କରିଛି ପୋଲିସ ।
କାର ଭିତରୁ ଦୁଇଟି ଗୂଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ହୋଇଥିବା ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର । ସିଂଲା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା । ତେବେ ଏମାନଙ୍କ ନାମରେ ପୂର୍ବରୁ କୌଣସି ଥାନାରେ ମାମଲା ଅଛି କି ନାହିଁ କମ୍ବା ଅନ୍ଯ କୌଣସି ଡକାୟତିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ ।
