କେନ୍ଦୁଝର : LED Light ଲଗାଇବାରେ ଦୁର୍ନୀତି ଅଭିଯୋଗ । କେନ୍ଦୁଝର ଜିଲ୍ଲାରେ ପୂର୍ବ ସରକାର ସମୟରେ LED Light ଲଗାଇବାରେ ହୋଇଥିବା ଦୁର୍ନୀତି ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । କେନ୍ଦୁଝରର ୫ଟି ବ୍ଲକରେ ଗତକାଲି ଠାରୁ ଏହି ତଦନ୍ତ ଆରମ୍ଭ ହୋଇଛି । ୫ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ଟେଣ୍ଡର୍ ପ୍ରକ୍ରିୟା ଠାରୁ ଆରମ୍ଭ କରି ବିଭିନ୍ନ ଯନ୍ତ୍ରାଂଶ ନଲଗାଇବା ଏବଂ ଏନର୍ଜି ମିଟର୍ ନଲାଗିବା ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ଖର୍ଚ୍ଚ ହେବା ଦ୍ୱାରା ସରକାରଙ୍କ ରାଜକୋଷରୁ ଅଧିକ କ୍ଷତି ହେଉଥିଲା । ଗତକାଲି ଠାରୁ ଭିଜିଲାନ୍ସ ର ୪୫ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ୮ଟି ଟିମ୍ ପାଟଣା, କେନ୍ଦୁଝର ସଦର, ବାଂଶପାଳ, ସାହାରପଡ଼ା , ତେଲକୋଇ ବ୍ଲକରେ ଚଢ଼ାଉ କରିଛି । ବ୍ଲକରୁ ଏହି ଯୋଜନାର ନଥିପତ୍ର ଜବତ କରିଛି ଭିଜିଲାନ୍ସ ।
ପ୍ରତି ପଞ୍ଚାୟତରେ ୧୦ଟି ଷ୍ଟ୍ରିଟ୍ ଲଗାଇବା ନେଇ ଟେଣ୍ଡର୍ ଆହ୍ବାନ କରାଯାଉଥିଲା । ଏହି ଷ୍ଟ୍ରିଟ୍ ଲାଇଟ୍ ର କ୍ଲଷ୍ଟର୍ କନେକ୍ଟର୍ ଦାମ୍ ୪୩୦ ଟଙ୍କା, ଏବି କେବୁଲ୍ ର ମୂଲ୍ୟ ୨୫ ହଜାର ଟଙ୍କା, ଟାଇମର୍ ମୂଲ୍ୟ ୫ ଶହ ଟଙ୍କା, ଏନର୍ଜି ମିଟର୍ ମୂଲ୍ୟ ୧ହଜାର ଟଙ୍କା କାର୍ଯ୍ୟାଦେଶରେ ରହିଥିଲା । ଏଷ୍ଟିମେଟ୍ ରେ ସମସ୍ତ ଯନ୍ତ୍ରାଂଶର ମୂଲ୍ୟ ୩୧ହଜାର ୨୬୦ ଟଙ୍କା ଥିବା ବେଳେ, ଏହାକୁ ଲଗାଇବା ବାବଦକୁ ୭୯୭୧ଟଙ୍କା ଖର୍ଚ୍ଚ ଦର୍ଶାଯାଇଥିଲା । ଠିକାସଂସ୍ଥା ଏଷ୍ଟିମେଟ୍ ରେ ଥିବା କୌଣସି ଯନ୍ତ୍ରାଂଶ ଲଗାଇ ନଥିଲା । ଗୋଟିଏ ପଞ୍ଚାୟତରୁ ଠିକାସଂସ୍ଥା ୩୯ ହଜାର ୨୩୧ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଏବେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି ।
