ଧର୍ମଗଡ଼: ଧର୍ମଗଡ଼ରେ ଲୁଟେରାଙ୍କ ଆତଙ୍କ । ଡାକ୍ତରଙ୍କୁ ହାତଗୋଡ଼ ବାନ୍ଧି ଘରୁ ଲୁଟିନେଲେ ସୁନା ଓ ନଗଦ ରାଶି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ବିଳମ୍ବିତ ରାତିରେ ଏଭଳି ଏକ ସାଂଘାତିକ ଲୁଟ୍ପାଟ୍ ଘଟଣା ସାମ୍ନାକୁ ଆସିଛି । ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଅଜିତ ଦାସଙ୍କ ଘରେ ପଶି ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି । ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଅଜିତ ଦାସଙ୍କ ଘରେ ପଶିଥିଲେ କିଛି ସଶସ୍ତ୍ର ଦୁର୍ବୃତ୍ତ । ପ୍ରଥମେ ଡାକ୍ତରଙ୍କ ହାତ ଓ ଗୋଡ଼କୁ ଦଉଡ଼ିରେ ବାନ୍ଧି ପକାଇଥିଲେ ।
ଏହାପରେ ଆଲମିରା ଭାଙ୍ଗି ନଗଦ ୭୨ ହଜାର ଟଙ୍କା ସହିତ ପ୍ରାୟ ୫୪ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି । ଖବର ପାଇ ଧର୍ମଗଡ଼ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ପ୍ରକ୍ରିୟାରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ସାମିଲ କରାଯାଇଛି । ବିଭିନ୍ନ ସ୍ଥାନରୁ ଫିଙ୍ଗର ପ୍ରିଣ୍ଟ ଏବଂ ଅନ୍ୟାନ୍ୟ ସୁରାକ ସଂଗ୍ରହ କରୁଛି ପୋଲିସ । ଅନ୍ୟପଟେ ଧର୍ମଗଡ଼ ସହରରେ ଦିନକୁ ଦିନ ଚୋରି ଏବଂ ଡକାୟତି ଘଟଣା ବଢି ଚାଲିଥିବାରୁ ସାଧାରଣରେ ଆକ୍ରୋଶ ପ୍ରକାଶ ପାଇଛି ।
