ନୁଆଦିଲ୍ଲୀ : ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର (ଟ୍ରଷ୍ଟ) ମନ୍ଦିରରେ ନିଯୁକ୍ତି ପ୍ରକାଶ ହୋଇଛି । ଏହି ପଦବୀ ଚୁକ୍ତିଭିତ୍ତିକ ଅଟେ । ପ୍ରଥମରେ ତିନି ବର୍ଷ ପାଇଁ ଚୁକ୍ତିନାମା ରହିବ । ଉତ୍ତମ କାର୍ଯ୍ୟଦକ୍ଷତା ରହିଲେ କାର୍ଯ୍ୟକାଳ ବ୍ଦ୍ଧି କରାଯାଇପାରିବ । ଆବେଦନକାରୀ ମାନେ ୫୦ରୁ ୭୦ ବର୍ଷର ହୋଇଥିବା ଆବଶ୍ୟକ ବୋଲି ଟ୍ରଷ୍ଟ ସ୍ପଷ୍ଟ କରିଛି । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ପାରଙ୍ଗମ ଥିବା ଆବଶ୍ୟକ । ଆବେଦନ ପାଇଁ ୧୮ ଜୁଲାଇ ୪ଟା ପର୍ଯ୍ୟନ୍ତ ଶେଷ ସମୟ ରହିଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏହି ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ଅଯୋଧ୍ୟାର ରାମ ମନ୍ଦିରରେ ମନୋନୀତ ବ୍ୟକ୍ତି ପ୍ରଥମ ସିଇଓ ହେବେ । ସିଇଓଙ୍କ ଦାୟିତ୍ବ ଏବଂ କ୍ଷମତା ଟ୍ରଷ୍ଟ ଦ୍ବାରା ନିର୍ଣ୍ଣୟ କରାଯିବ । ଏହି କାର୍ଯ୍ୟରେ କୌଣସି ସରକାରୀ ହସ୍ତକ୍ଷେପ ହେବ ନାହିଁ । ସିଇଓ ଟ୍ରଷ୍ଟର ବିଶ୍ବାସ ଭାଜନ ହେବା ଆବଶ୍ୟକ ।ସେ ଟ୍ରଷ୍ଟର ସହଭାଗୀ ଭାବରେ କାର୍ଯ୍ୟ କରିବେ । ଏହା ପ୍ରତି ସେ ଉତ୍ତରଦାୟୀ ରହିବେ । ସିଇଓଙ୍କୁ କେତେ ଅଧିକାର ଦିଆଯିବ ତାହା ଟ୍ରଷ୍ଟ ନିଷ୍ପତ୍ତି କରିବ । କାର୍ଯ୍ୟାଳୟର କାର୍ଯ୍ୟ ପାଇଁ ଆବଶ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ସିଇଓ ସ୍ବାଧୀନ ରହିବେ । ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ସୁପାରିଶ କରିବା ପାଇଁ ଟ୍ରଷ୍ଟ ଏକ ତିନି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି ।
