କେନ୍ଦ୍ରାପଡା : କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସିଂହଦ୍ୱାରରେ ଏକ ନବନିର୍ମିତ ପିତଳ ଛାଉଣୀ ଯାଉଁଳି କବାଟ ଲଗା ଯାଇଛି l ୪ କୁଇଣ୍ଟାଲ ୫୦ କିଲୋ ଗ୍ରାମର ପିତଳରେ ପ୍ରସ୍ତୁତ ଏହି କବାଟକୁ ପିଆଶାଳ କାଠ ଉପରେ ସ୍ଥାପନ କରା ଯାଇଛି l ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳର ହିରାପୁର ଗାଁର କାରିଗର ସମୀର ଦାସଙ୍କ ନେତୃତ୍ବରେ ୧୫ ଜଣ କାରିଗର ଏହାକୁ ପ୍ରସ୍ତୁତ କରିବା ପାଇଁ ୨ ମାସ ସମୟ ନେଇଛନ୍ତି l
କବାଟର ଉଚ୍ଚତା ୯ ଫୁଟ ହୋଇଥିବା ବେଳେ ଏହାର ଚଉଡା ୮ ଫୁଟ ରହିଛି l ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି କବାଟ ତିଆରି ହୋଇଛି l ଏହି ପିତଳ କବାଟ ଲାଗିବା ବେଳେ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟର, ଏସ୍ପି ସିଦ୍ଧାର୍ଥ କଟାରିଆ, ପଣ୍ଡିତ ହୃଷିକେଶ ରଥ, ଦେବୋତ୍ତର ଅଧିକାରୀ ବଳଭଦ୍ର ପତ୍ରୀ, ଭୁବନ ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ପାଇଁ ସହାୟତା କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରାଯାଇଛି
