ବ୍ରହ୍ମପୁର : ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି । ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ସୁପାରିସ କରାଯାଇଛି । ସୁପ୍ରିମକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କୁ ଗୁଜରାଟ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି।
ଜଷ୍ଟିସ ପାଠକଙ୍କ ପ୍ୟାରେଣ୍ଟ ହାଇକୋର୍ଟ ହେଉଛି ଗୌହାଟୀ ହାଇକୋର୍ଟ। ସେହିପରି ଓଡ଼ିଶା ହାଇକୋର୍ଟର ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କୁ ଛତିଶଗଡ଼ ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ସୁପାରିସ କରିଛନ୍ତି । ହାଇକୋର୍ଟ ବିଚାରପତିମାନଙ୍କ ବଦଳି ସମ୍ପର୍କିତ କଲେଜିୟମର ନିୟମିତ ପ୍ରକ୍ରିୟାର ଅଂଶ ଭାବେ ଏହି ଦୁଇଟି ସୁପାରିସ କରାଯାଇଛି ।
