ଭୁବନେଶ୍ୱର : ବନ୍ୟାରେ ଉଦ୍ଧାର ପାଇଁ ବାହାରିଲେ ୪ଟି NDRF ଟିମ୍ । ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଚାରୋଟି ଉଦ୍ଧାରକାରୀ ଦଳ ନିୟୋଜିତ ହେବେ । ବନ୍ୟା ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମୁଣ୍ଡଳୀ ସ୍ଥିତ ୩ୟ ବାଟାଲିୟନ NDRFର ମୋଟ ୪ଟି ଟିମ୍ କୁ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ନିୟୋଜିତ କରାଯାଇଛି । ଏହି ଚାରୋଟି NDRF ଟିମ୍ ସେକେଣ୍ଡ-ଇନ୍-କମାଣ୍ଡ ଏସ୍. କେ. ପାସୱାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛନ୍ତି । ଏହି ଦଳଗୁଡ଼ିକ ଚ୍ୟାଲେଞ୍ଜପୂର୍ଣ୍ଣ ବନ୍ୟା ଏବଂ ବିପର୍ଯ୍ୟୟ ପରିସ୍ଥିତିରେ ଉଦ୍ଧାର ତଥା ସହାୟତା କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଟିମ୍ ଗୁଡ଼ିକ ପାଖରେ ମେଡିକାଲ ଫାଷ୍ଟ ରେସପଣ୍ଡର (MFR) କିଟ୍, ବନ୍ୟା ଜଳ ଉଦ୍ଧାର ଉପକରଣ, ଭୁଶୁଡ଼ି ପଡ଼ିଥିବା କୋଠାବାଡ଼ି ଖୋଜାଖୋଜି ଓ ଉଦ୍ଧାରଉପକରଣ ଏବଂ ବିଭିନ୍ନ ପ୍ରକାରର ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆବଶ୍ୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିଛି ।
ନିୟୋଜିତ ହୋଇଥିବା ଉଦ୍ଧାରକାରୀମାନେ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ, ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଚିକିତ୍ସା ସେବା ଯୋଗାଇବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉଦ୍ଧାର ଆବଶ୍ୟକତା ସମେତ ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରିବା ପାଇଁ ଆତ୍ମନିର୍ଭରଶୀଳ । ସମସ୍ତ ଚାରୋଟି ଟିମ୍ ମୁଣ୍ଡଳୀ ୩ୟ ବାଟାଲିୟନ NDRFର କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମାଙ୍କ ତୀକ୍ଷ୍ଣ ନଜରରେ କାର୍ଯ୍ୟ କରୁଛନ୍ତି । କମାଣ୍ଡାଣ୍ଟ ନିୟୋଜିତ ଦଳଗୁଡ଼ିକୁ କାର୍ଯ୍ୟକ୍ଷମ ପ୍ରସ୍ତୁତି, ସୁରକ୍ଷା ନିୟମାବଳୀ, ସ୍ଥାନୀୟ ପ୍ରଶାସନିକ ନିୟମ ଏବଂ ମାନକ ସାଧନ ପ୍ରଣାଳୀ (SOP) ପାଳନ କରିବା ସମ୍ପର୍କରେ ସୂଚନା ଦେଇଛନ୍ତି । NDRF ଟିମ୍ ଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି ଏବଂ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଯେକୌଣସି ଆକସ୍ମିକ ବନ୍ୟା ପରିସ୍ଥିତିର ତୁରନ୍ତ ମୁକାବିଲା କରିବା ସହ ପ୍ରଭାବିତ ଲୋକଙ୍କୁ ସଠିକ୍ ସମୟରେ ସହାୟତା ଯୋଗାଇଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
