ଭୁବନେଶ୍ୱର : ବଢିଲା ଖଣି ଆଇନକୁ ବିରୋଧ । ନୂଆ ଖଣି ଆଇନକୁ ‘କଳା ଆଇନ’ କହିଲା କଂଗ୍ରେସ। ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଦାବି। କେନ୍ଦ୍ର ସରକାରଙ୍କ ନୂଆ ଖଣି ଓ ଖଣିଜ ସଂଶୋଧନ ଆଇନ ବା MMDR-2026କୁ ନେଇ ଓଡ଼ିଶାରେ ରାଜନୈତିକ ବିରୋଧ ତେଜିଛି। ଏହି ଆଇନକୁ ‘କଳା ଆଇନ’ ବୋଲି ଅଭିହିତ କରି ରାଜ୍ୟ କଂଗ୍ରେସ ବିଧାୟକ ଦଳ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ତୁରନ୍ତ ଡାକିବାକୁ ଦାବି କରିଛି।
ଏନେଇ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରାଯାଇଛି। ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ନୂଆ ଆଇନ ସଂଘୀୟ ବ୍ୟବସ୍ଥାର ମୂଳ ଭିତ୍ତିକୁ ଆଘାତ କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସର ଅଭିଯୋଗ ନୂଆ ଆଇନ ରାଜ୍ୟର ଖଣିଜ ସମ୍ପଦ ଉପରେ ଥିବା ଅଧିକାର ଓ ଆର୍ଥିକ ସ୍ୱାୟତ୍ତତାକୁ ସଙ୍କୁଚିତ କରିବ।
ଖଣି ଆବଣ୍ଟନ, ରାଜସ୍ୱ ନିୟନ୍ତ୍ରଣ ଓ ଖଣି ଲିଜ୍ ନବୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ରାଜ୍ୟର କ୍ଷମତା କମିଯିବ । ପରିସ୍ଥିତିକୁ ‘ଗଭୀର ସାମ୍ବିଧାନିକ ସଙ୍କଟ’ ବୋଲି ବର୍ଣ୍ଣନା କରି ରାମଚନ୍ଦ୍ର କାଡାମ ସମ୍ବିଧାନର ଧାରା ୧୭୪(୧) ଅନୁଯାୟୀ ହସ୍ତକ୍ଷେପ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି। ସେହିପରି MMDR ଆଇନର ନୂଆ ସଂଶୋଧନ ଖଣି ସମ୍ପନ୍ନ ଓଡ଼ିଶାର ଆର୍ଥିକ ସ୍ୱାର୍ଥକୁ ପ୍ରଭାବିତ କରିବ ବୋଲି କହି ଆସୁଛି ବିଜେଡି।
ଓଡ଼ିଶା ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିପାରେ ବୋଲି ଦଳ ଅଭିଯୋଗ କରିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ପାଇଁ ବିପୁଳ ବକେୟା ରାଜସ୍ୱ ଆଦାୟର ସୁଯୋଗ ଥିଲା। ନୂଆ ସଂଶୋଧନ ଯୋଗୁଁ ଏହି ଅର୍ଥ ଆଦାୟ ପ୍ରଭାବିତ ହେବ। ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ବିଜୁ ଜନତା ଦଳ ଚେତାବନୀ ଦେଇଛି।
ସେପଟେ ଏହାର ଜବାବ ରଖିଛି ବିଜେପି। ବିରୋଧୀ ଦଳ ନେତା ଏବଂ ବିଭିନ୍ନ ରାଜନୈତିକ ଦଳ ମିଥ୍ୟା ତଥ୍ୟ ଦେଇ ଅପପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛି ବିଜେପି। ୧୯୫୭ ମସିହାରୁ ଯେଉଁ ଆକଟ ଚାଲିଆସିଛି। ସେଥିରେ କିଛି ସଂଶୋଧନ କରିବା ପାଇଁ ବିଲ୍ ଆଗତ ହୋଇଥିଲା ଏବଂ ଉଭୟ ଗୃହରେ ପାରିତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଖଣି ହେଉଛି ଜାତୀୟ ସମ୍ପତ୍ତି। ଏହାର ସୁବିନିଯୋଗ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବିକଶିତ ଭାରତରେ ଖଣିଜ ସମ୍ପଦର ସଦୁପୋଯଗ କରିବା ପାଇଁ ଯେଉଁ କର ର ଶୃଙ୍ଖଳା ଥିଲା ସେଥିପାଇଁ ଏହି ଆଇନ ଆସିଛି। ଓଡ଼ିଶା ସମେତ ସବୁ ଖଣିଜ ରାଜ୍ୟ ଏବଂ ଦେଶ ଲାଭବାନ ହେବ ବୋଲି କହିଛି ବିଜେପି ।
