କଟକ, ୬ ସେପ୍ଟେମ୍ବର:
କଟକ ଲିଙ୍କ ରୋଡସ୍ଥିତ ଶକ୍ତିନଗରର ଶକ୍ତିଶ୍ୱର ମହାଦେବଙ୍କ ପୀଠରେ ହିନ୍ଦୁ ଏକତା ମଞ୍ଚ, କଟକ ଜିଲ୍ଲା ଶାଖା ପକ୍ଷରୁ ଏକ ସଚେତନତା ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
କଟକ ଜିଲ୍ଲା ସଭାପତି ଡ. ପଦ୍ମଲୋଚନ ନାୟକଙ୍କ ଅନୁରୋଧକ୍ରମେ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ସଭାରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟରେ ସେ ସଂଗଠନର କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ସଦସ୍ୟମାନଙ୍କ ଆର୍ଥିକ ସହଯୋଗ ସହିତ ବ୍ୟକ୍ତିଗତ ଭାବେ ସକ୍ରିୟ ସହଯୋଗ ଓ ସମୟ ପ୍ରଦାନ ଅଧିକ ଉପଯୋଗୀ ବୋଲି କହିଥିଲେ।
ସଭା ଆରମ୍ଭରେ ସଂଗଠନର ସଦସ୍ୟ କୁନା ଦାସଙ୍କ ଦୁଇ ଦିନ ପୂର୍ବେ ଦେହାନ୍ତ ହୋଇଥିବାରୁ ତାଙ୍କ ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ସଭାରେ ଚଳିତ ବର୍ଷର ରଥଯାତ୍ରା ସମୟରେ ମଞ୍ଚ ପକ୍ଷରୁ କରାଯାଇଥିବା ସେବା କାର୍ଯ୍ୟ ଏବଂ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟ-ବ୍ୟୟ ସମ୍ପର୍କରେ ସଭାପତି ସୂଚନା ପ୍ରଦାନ କରିଥିଲେ।
ଅନ୍ଦରପୁର ମନ୍ଦିର ପରିଚାଳନା ସହିତ ବିଭିନ୍ନ ସାମାଜିକ ସଂସ୍ଥା ସହ ଜଡିତ ପୂର୍ବତନ କର୍ପୋରେଟର ଶ୍ରୀମତୀ ରେଣୁବାଳା ରାଉତ ଏବଂ ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ରବୀନ୍ଦ୍ର କୁମାର ବିହାରୀ ହିନ୍ଦୁ ଏକତା ମଞ୍ଚର ଆଜୀବନ ସଦସ୍ୟତା ଗ୍ରହଣ କରିଥିବାରୁ ଉଭୟଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ପରିବେଶବିତ୍ ତଥା ବୁଲା କୁକୁର ସମେତ ବିଭିନ୍ନ ପଶୁଙ୍କୁ ନୂତନ ଜୀବନ ପ୍ରଦାନ ପାଇଁ କାର୍ଯ୍ୟ କରୁଥିବା ମଧୁସ୍ମିତା ପଟ୍ଟନାୟକ ମଞ୍ଚର ଆଜୀବନ ସଦସ୍ୟତା ଗ୍ରହଣ କରିଥିବାରୁ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ମଞ୍ଚର ରାଜ୍ୟ ସମ୍ପାଦକ ଡ. ପ୍ରଭାତ କୁମାର ସାହୁ ପୁରୀ ଓ ଭୁବନେଶ୍ୱରରେ ସଂଗଠନ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ।
ଏହି ଅବସରରେ ଡ. ଅର୍ଜୁନ ଚରଣ ମଲ୍ଲିକଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ହେ ଉଦ୍ଧବ, ହେ ଅକ୍ରୁର’କୁ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ଉନ୍ମୋଚନ କରିଥିଲେ।
ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲାର କାର୍ଯ୍ୟନିର୍ବାହୀ କମିଟିକୁ ପୁନର୍ଗଠନ କରି ପ୍ରତିମାସରେ ଅତିକମରେ ଗୋଟିଏ ବୈଠକ କରିବା ସହିତ ଜିଲ୍ଲା ପାଇଁ ନିଜସ୍ୱ କାର୍ଯ୍ୟସୂଚୀ ଓ ଏଜେଣ୍ଡା ପ୍ରସ୍ତୁତ କରିବାକୁ ରାଜ୍ୟ ସଭାପତି ପରାମର୍ଶ ଦେଇଥିଲେ।
ସଭାରେ କଟକ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଉପସଭାପତି ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ଉପସଭାପତି ଅଗଣି ନାୟକ, କାର୍ଯ୍ୟକାରୀ ସଭାପତି ତେଜପାଲ ଧେନୁକା, ରବୀନ୍ଦ୍ର ମହାପାତ୍ର, ଶରତ ଚନ୍ଦ୍ର ସ୍ୱାଇଁ, କୈଳାଶ ଚନ୍ଦ୍ର ଜେନା, ରାଜ୍ୟ ସଂସ୍କୃତି ସମ୍ପାଦକ ବ୍ରଜକିଶୋର ଜେନା, ପ୍ରାଣକୃଷ୍ଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ କୁମାର ପଣ୍ଡା, ଆଜୀବନ ସଦସ୍ୟ ତଥା ଯୁବ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ମୃତ୍ୟୁଞ୍ଜୟ ପାତ୍ରଙ୍କ ସମେତ ୨୫ରୁ ଅଧିକ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ଶେଷରେ ଶ୍ରୀ ଶରତ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।
