ରାଉରକେଲା : ଯେତେ ଖୋଜିଲେ ସେତେ ବାହାରୁଛି । ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ବର ବରାଡ଼ଙ୍କ ଅଚଳାଚଳ ସଂପତ୍ତି। ଭିଜିଲାନ୍ସ ତଦନ୍ତ ବେଳେ ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ୨୭୦୦ ବର୍ଗଫୁଟର ଦୁଇ ମହଲା କୋଠାଥିବା ଜଣାପଡିଛି। ସେହିପରି ଭୁବନେଶ୍ବରରେ ଗୋଟିଏ ଓ ନୟାଗଡରେ ୩ ପ୍ଲଟ ରହିଛି । ଏପଟେ ୩୩ ଲକ୍ଷ ୯୭ହଜାର ଜମାରାଶି ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଗତକାଲି ମଦ ଲାଇସେନ୍ସଧାରୀଙ୍କ ଠାରୁ ବିପୁଳ ଲାଞ୍ଚ ଟଙ୍କା ସଂଗ୍ରହ ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ୫ ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ମଦ ଦୋକାନ ସେଲ୍ସମ୍ୟାନ୍ ଙ୍କୁ ଭିଜିଲାନ୍ସ ଅଟକାଇ ଟଙ୍କା ଜବତ କରିଥିଲା। ଉଦିତନଗରସ୍ଥିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଥିବା ଜଣେ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନ୍ ଙ୍କ ଠାରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା।
ଏହି ଟଙ୍କା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ତାଙ୍କ ଘରେ ପହଞ୍ଚାଇବା ପାଇଁ ଦେଇଥିବା ସେଲ୍ସମ୍ୟାନ୍ ଭିଜିଲାନ୍ସକୁ କହିଥିବା ସୂଚନା ମିଳିଛି। ଏନେଇ ଧନେଶ୍ୱର ବରାଡ଼ଙ୍କୁ ପଚରାଉଚରା କରାଯାଇଥିବାବେଳେ ଉଦ୍ଧାର ଟଙ୍କା ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହାପରେ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତଲାସି ଆରମ୍ଭ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ।
