ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ୧୮ତମ BRICS ଶିଖର ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇଛି । ବ୍ରିକ୍ସ ସମ୍ମିଳନୀକୁ ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ଆସ ଦିଲ୍ଲୀରେ ପହଞ୍ଚିଛନ୍ତି । ରୁଷ ରାଷ୍ଟ୍ରପତି, ଚୀନ ରାଷ୍ଟ୍ରପତିଙ୍କ ସହିତ ବିଶ୍ବର ଅନେକ ପ୍ରମୁଖ ନେତା ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ରେ ଉପସ୍ଥିତ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ବିଭିନ୍ନ ବିଶ୍ୱନେତାଙ୍କୁ ଜୋରଦାର୍ ସ୍ୱାଗତ କରିଛନ୍ତି । ପ୍ରାୟ ୭ ବର୍ଷ ପରେ ଭାରତ ଆସିଥିବା ଜିନପିଙ୍ଗଙ୍କ ସହ ମୋଦି କରମର୍ଦ୍ଧନ କରି ସ୍ବାଗତ କରିଛନ୍ତି । ଏହି ସମୟରେ ଦୁଇ ନେତା ହସୁଥିବାର ନଜର ଆସିଛନ୍ତି ।
ତାମିଲନାଡୁର ରାମେଶ୍ୱରମ ମନ୍ଦିରର କରିଡର ସମ୍ପର୍କରେ ମୋଦି ଜିନପିଙ୍ଗଙ୍କୁ ବୁଝାଇଥିଲେ । ଭିଡିଓରେ ଜିନପିଙ୍ଗ ମଧ୍ୟ ଏହାକୁ ଖୁବ୍ ଆଗ୍ରହର ସହ ଶୁଣୁଥିବା ଦେଖାଯାଇଛି । ଏହି ଆଲୋଚନା ମାଧ୍ୟମରେ ମୋଦି ଭାରତର ସଂସ୍କୃତି, ଆଧ୍ୟାତ୍ମିକତା ଓ ସ୍ଥାପତ୍ୟ କଳା ବିଷୟରେ ଜିନପିଙ୍ଗଙ୍କୁ ଅବଗତ କରାଇଥିଲେ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଆଜି ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ବୈଠକରେ ସୀମା ବିବାଦ ସହିତ ବାଣିଜ୍ୟ ଓ ନିବେଶ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ହୋଇସାରିଛି ।
କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଦିଲ୍ଲୀ ବିମାନବନ୍ଦରରେ ଜିନପିଙ୍ଗଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଉଭୟଙ୍କୁ ପରସ୍ପର ସହ ଆଲୋଚନା କରୁଥିବା ଦେଖାଯାଇଥିଲା । ଚୀନ୍ ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନବନ୍ଦରରେ ସାଂସ୍କୃତିକ କଳାକାରମାନେ ପାରମ୍ପରିକ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ ।
ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ ନେତା ସାମିଲ ହେଉଛିନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି । ସନ୍ଧ୍ୟା ସାଢେ ୭ଟାରେ ବ୍ରିକ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କ ଡିନର ପାର୍ଟି ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ଭବ୍ୟ ଆୟୋଜନ କରିଛନ୍ତି ।
