କୁଢ଼ କୁଢ଼ ଅଳିଆ ଆବର୍ଜନା। ଆଉ ତା’ ସାଙ୍ଗକୁ ଗନ୍ଧମୟ ପରିବେଶ। ଏହା କେବଳ ଗୋଟିଏ ସହରର ନୁହେଁ, ବରଂ ପ୍ରତିଟି ସହରର ନିତିଦିନର ବ୍ୟଥା। କିନ୍ତୁ ଏବେ ଏହି ଅଳିଆ ଆବର୍ଜନାରୁ ହିଁ ବାହାରିବ ସୁନା। ଆଜ୍ଞା ହଁ, ପେଟ୍ରୋଲ ଦରର ଆକାଶଛୁଆଁ ମହଙ୍ଗା ମାଡ଼ ଭିତରେ କୋରାପୁଟ ମାଟିରୁ ଆସିଛି ଏକ ଖୁସିର ଖବର, ଯେଉଁଠି ଅଳିଆ ଦେବ ଇନ୍ଧନ, ଆଉ ରାସ୍ତାରେ ଗଡିବ ଗାଡ଼ି।
ଜୟପୁର ସହରର ଡମ୍ପିଂୟାର୍ଡ। ଦିନକୁ ଦିନ ବଢୁଥିବା ଆବର୍ଜନା, ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ପରିବେଶ। ହେଲେ ଏବେ ଏହି ଚିତ୍ର ବଦଳିବାକୁ ଯାଉଛି। ଜୟପୁର ବ୍ଲକର ପଲକାପୁଟ ଅଞ୍ଚଳରେ ବାୟୋ-CNG ପ୍ଲାଣ୍ଟ ପାଇଁ ଜମି ଚିହ୍ନଟ କରିଛି BPCL। କମ୍ପାନୀର ବିଶେଷଜ୍ଞ ଟିମ୍ ପୌର ନିର୍ବାହୀ ଅଧିକାରୀଙ୍କ ସହ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପନିପରିବା ଚୋପା, ଗୋବର, କୃଷି ବର୍ଜ୍ୟ, ଆଉ ଘରୋଇ ଆବର୍ଜନା ସବୁକୁ ପ୍ରକ୍ରିୟାକରଣ କରାଯାଇ ତିଆରି ହେବ ବାୟୋଗ୍ୟାସ। ପରେ ବିଶୋଧନ ମାଧ୍ୟମରେ ମିଳିବ ବାୟୋ-CNG। ଯାହା ଆଗାମୀ ଦିନରେ ଇନ୍ଧନ ଭାବେ ବ୍ୟବହାର ହେବ। ପ୍ରାୟ ୭୦ କୋଟି ଟଙ୍କାରେ ନିର୍ମାଣ ହେବ ଏହି ଅତ୍ୟାଧୁନିକ ପ୍ଲାଣ୍ଟ। ୨୬ ଏକର ଜମିରେ ଗଢ଼ି ଉଠିବ ଏହି ପ୍ରକଳ୍ପ। ପ୍ରଥମ ପର୍ଯ୍ୟାୟରେ ୧୦ ଏକର ଜମି ଚିହ୍ନଟ ହୋଇ ସାରିଛି। ସହରରୁ ପ୍ରତିଦିନ ବାହାରୁଥିବା ୪୦ ମେଟ୍ରିକ ଟନ୍ ଆବର୍ଜନା ସହ ବିଭିନ୍ନ ଅଞ୍ଚଳରୁ କଞ୍ଚାମାଲ ସଂଗ୍ରହ କରାଯିବ।
ସବୁଠୁ ବଡ଼ କଥା ହେଲା, ଏହି ପ୍ରକଳ୍ପ ଯୋଗୁଁ ଶତାଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ। ବିଶେଷ କରି SHG ମହିଳାମାନେ ସିଧାସଳଖ ଭାବେ ଏହି ପ୍ରକଳ୍ପ ସହ ଜଡ଼ିତ ହୋଇପାରିବେ। ବଢୁଥିବା ପେଟ୍ରୋଲ ଦର ଭିତରେ ବାୟୋ-CNG ହୋଇପାରେ ବଡ଼ ବିକଳ୍ପ। ପରିବେଶ ପ୍ରଦୂଷଣ କମିବ।ଡମ୍ପୟାର୍ଡର ଭାର କମିବ। ଚାଷୀଙ୍କୁ ମିଳିବ ଜୈବ ସାର। ଅର୍ଥାତ୍ ଗୋଟିଏ ପ୍ରକଳ୍ପ। କିନ୍ତୁ ଫାଇଦା ଅନେକ। ଅଳିଆରୁ ଆୟ, ଆବର୍ଜନାରୁ ଇନ୍ଧନ, ଆଉ ଦୁର୍ଗନ୍ଧରୁ ମୁକ୍ତି। କୋରାପୁଟରେ ଆରମ୍ଭ ହେବାକୁ ଯାଉଥିବା ଏହି ବାୟୋ-CNG ପ୍ରକଳ୍ପ କେବଳ ଏକ ଶିଳ୍ପ ନୁହେଁ, ଏହା ହେଉଛି ସବୁଜ ଭବିଷ୍ୟତର ବ୍ଲୁପ୍ରିଣ୍ଟ।
